fbpx

୯ ଘଣ୍ଟାରୁ କମ୍ ଶୋଇଲେ କମିଯାଏ ପିଲାଙ୍କ ସ୍ମରଣଶକ୍ତି : ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ଯଦି ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି, ପ୍ରତି ରାତିରେ ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ । ଏକ ଅଧ୍ୟୟନ ଏହା ଜଣାପଡ଼ିଛି ।

ଆବଶ୍ୟକ ନିଦ ଅଭାବରୁ ସୃଷ୍ଟ ଏହି ନିର୍ଦ୍ଦିଷ୍ଟ ଅନ୍ତର ପିଲାର ଅବସାଦ, ଉଦ୍ବେଗ ଓ ଅଜବ ଧରଣର ବ୍ୟବହାର ଆଦି ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସମ୍ପୃକ୍ତ । ପର୍ଯ୍ୟାପ୍ତ ନିଦ ନ ହେବା ସ୍ମରଣଶକ୍ତି ସହିତ ଧୀ ସମ୍ବନ୍ଧୀୟ ସମସ୍ୟା, ସମସ୍ୟା ସମାଧାନ ଓ ନିର୍ଣ୍ଣୟ ନେବାର କ୍ଷମତା ସହ ସଂଶ୍ଳିଷ୍ଟ । “ଦ ଲାନ୍ସେଟ୍ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍ଥ’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ମେରିଲ୍ୟାଣ୍ଡ ସ୍କୁଲ୍ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ୯ରୁ ୧୦ ବର୍ଷୀୟ ୮,୩୦୦ ପିଲାଙ୍କ ଉପରେ ପରୀକ୍ଷା କରିଥିଲେ । ସେମାନେ ପିଲା ଓ ସେମାନଙ୍କ ଅଭିଭାବକଙ୍କର ଏମଆରଆଇ ଛବି, ମେଡିକାଲ ରେକର୍ଡ ଓ ସର୍ଭେ ଆଦି କରିଥିଲେ । ଦୀର୍ଘ ଦୁଇ ବର୍ଷର ଯାଞ୍ଚ୍ ପରେ ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ।

ବିଶ୍ୱବିଦ୍ୟାଳୟର ଡାଇଗ୍ନୋଷ୍ଟିକ୍ ରେଡିଓଲୋଜି ଆଣ୍ଡ ନ୍ୟୁକ୍ଲିୟର ମେଡିସିନ୍ ବିଭାଗର ଜି ୱାଙ୍ଗ କହିଛନ୍ତି ‘ଗବେଷଣାରୁ ଆମେ ଜାଣିବାକୁ ପାଇଲୁ ଯେ ଅଧ୍ୟୟନ ଆରମ୍ଭରେ ଯେଉଁ ପିଲା ପର୍ଯ୍ୟାପ୍ତ ମାତ୍ରାରେ ଶୋଇନଥିଲେ ଅର୍ଥାତ୍ ପ୍ରତି ରାତିରେ ୯ ଘଣ୍ଟାରୁ କମ୍ ସମୟ ଶୋଇଥିଲେ, ସେମାନଙ୍କ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଧ୍ୟାନ ଦେବା, ସ୍ମରଣଶକ୍ତି ଓ ଧୀ-ଶକ୍ତି ସମ୍ବନ୍ଧୀୟ ଗ୍ରେ ମ୍ୟାଟର କମ୍ ଥିଲା ।

ଏହି ଅନ୍ତର ଦୁଇ ବର୍ଷ ପରେ ମଧ୍ୟ ବଜାୟ ରହିଥିଲା । ଏଥିରୁ ଜଣାପଡ଼ିଲା, ପର୍ଯ୍ୟାପ୍ତ ଶୋଉନଥିବା ପିଲାମାନଙ୍କ ମସ୍ତିଷ୍କରେ ଦୀର୍ଘକାଳୀନ କ୍ଷତି ହୋଇଥାଏ ବୋଲି ୱାଙ୍ଗ କହିଛନ୍ତି । ଆମେରିକାନ୍ ଏକାଡେମୀ ଅଫ୍ ସ୍ଲିପ୍ ମେଡିସିନର ସୁପାରିଶ ଅନୁସାରେ, ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ୬ରୁ ୧୨ ବର୍ଷୀୟ ପିଲା ନିୟମିତ ଭାବେ ପ୍ରତ୍ୟେକ ରାତିରେ ୯ରୁ ୧୨ ଘଣ୍ଟା ଶୋଇବା ଉଚିତ୍ ।

ଏହା ପୂର୍ବରୁ କିଶୋର କିଶୋରୀଙ୍କ ସ୍ନାୟୁ-ଧୀ ସମ୍ଭନ୍ଧୀୟ ବିକାଶ ଉପରେ ନିଦ୍ରାହୀନତାର ଦୀର୍ଘକାଳୀନ ପ୍ରଭାବ ଉପରେ କୌଣସି ଅଧ୍ୟୟନ ହୋଇନଥିଲା । ଅଭିଭାବକମାନେ ସେମାନଙ୍କ ପିଲାର ପର୍ଯ୍ୟାପ୍ତ ନିଦ ଉପରେ ଧ୍ୟାନ ଦେବା ଆବଶ୍ୟକ । ଦିନରେ ଶାରୀରିକ ଗତିବିଧିକୁ ଉତ୍ସାହିତ କରିବା ସହିତ ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ, ଲ୍ୟାପ୍ଟପ୍ ଆଦି ଗ୍ୟାଜେଟ୍ଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.