fbpx

ଗୋଲାମୀର ଯୁଗ ଶେଷ, ଏଥର ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରେ ଗର୍ଜିବ ସ୍ୱଦେଶୀ ତୋପ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ । ୧୫ ଅଗଷ୍ଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରେ ପତାକା ଉତ୍ତୋରଣ କରିବେ ସେତେବେଳେ ପ୍ରଥମ ଥର ଲାଗି ସ୍ୱଦେଶୀ ତୋପରେ ୨୧ ଥର ତୋପ ସଲାମୀ ଦିଆଯିବ । ଏଥର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ଗନ୍ ରାଷ୍ଟ୍ରୀୟ ସଙ୍ଗୀତ ବାଜିବାର ୫୨ ସେକେଣ୍ଡ ପର୍ଯ୍ୟନ୍ତ ୨୧ ରାଉଣ୍ଡ ଫାୟାର କରିବ । ଗତ ବର୍ଷ ଶେଷଥର ଲାଗି ବ୍ରିଟିଶ ୨୫ ପାଉଣ୍ଡର ଗନ୍ ଲାଲକିଲ୍ଲାରେ ପତାକା ଉତ୍ତୋଳନ ସମୟରେ ସଲାମୀ ଦେଇଥିଲା ଯେଉଁଥିରେ ଏହା ୨୦ ରାଉଣ୍ଡ ଫାୟାର କରିଥିଲା ଓ ସ୍ୱଦେଶୀ ତୋପ 155 mm ATAGS ଏକ ରାଉଣ୍ଡ ଫାୟାର କରିଥିଲା ।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ସମୟରେ ଦିଆଯାଉଥିବା ୨୧ ତୋପ ସଲାମୀ ପୁରୁଣା ବ୍ରିଟିଶ ୨୫ ପାଉଣ୍ଡର ଗନ୍ ପରିବର୍ତ୍ତେ ସ୍ୱଦେଶୀ ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ଗନ୍ ଦେବାର ପରମ୍ପରା ଆରମ୍ଭ ହୋଇଥିଲା । ଏବେ ଏହି କ୍ରମରେ ଲାଲକିଲ୍ଲାରେ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ ସମୟରେ ସ୍ୱଦେଶୀ ତୋପରେ ହିଁ ସଲାମୀ ଦିଆଯିବ । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଥିବା ବେଳେ ଗୁଲାମୀକୁ ସଂପୂର୍ଣ୍ଣ ଭାବରେ ନିଃଶେଷ କରିଦେବାକୁ ଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ ବ୍ରିଟିଶ ୨୫ ପାଉଣ୍ଡର ଗନ୍ ପାକିସ୍ତାନ ବିରୁଦ୍ଧରେ ୧୯୪୮, ୧୯୬୫ ଓ ୧୯୭୧ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ୧୯୬୨ରେ ଚୀନ୍ ବିରୁଦ୍ଧରେ ଯୁଦ୍ଧରେ ମଧ୍ୟ ଏହି ତୋପ ଜବରଦସ୍ତ ଭୂମିକା ନିଭାଥିଲା । ୯୦ ଦଶକ ଆରମ୍ଭରେ ଏହି ତୋପକୁ ସେନାରୁ ଅବସର ଦିଆଯାଇଥିଲା ଓ ଏହାର ସ୍ଥାନ ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ଗନ୍ ନେଇଥିଲା ।

Get real time updates directly on you device, subscribe now.