fbpx
BSKY
BJD MC SKY
BJD YOUTH SKY

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ୱକପ ଫାଇନାଲ ଲଢ଼େଇ: କଡ଼ା ସଂଘର୍ଷ କରି ସେମିରେ ହାରିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ସମାପ୍ତି ପାଇଁ ଆଉ ମାତ୍ର ଗୋଟିଏ ପାଦ ବାକି ଅଛି । ନ୍ୟୁଜିଲାଣ୍ଡକୁ ପ୍ରଥମ ସେମିଫାଇନାଲରେ ହରାଇ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଏହା ଫଳରେ ଚଳିତ ବିଶ୍ୱକପର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ଲଢ଼େଇ ହେବ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବଡ଼ ସଙ୍କଟରେ ପଡ଼ିଥିଲା । ମାତ୍ର ୨୪ ରନରେ ଦଳ ୪ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଡେଭିଡ୍ ମିଲର ଦଳ ପାଇଁ ବରଦାନ ସାଜିଥିଲେ । ମିଲର ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ଡେଭିଡ୍ ମିଲରଙ୍କ ଶତକୀୟ ଇନିଂସ ଫଳରେ ଦକ୍ଷିଣ ଆଫ୍ରିକା ୨୧୨ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ଅଧିନାୟକ ପ୍ୟାଟ କମିନ୍ସ ଉଭେୟ ୩ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲେ ।

ପ୍ରଥମରୁ ଏହି ମ୍ୟାଚରେ ଜିତିବା ଅଷ୍ଟ୍ରେଲିଆ ପାଇଁ ସହଜସାଧ୍ୟ ଜଣାପଡ଼ୁଥିଲେ ହେଁ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଫଳରେ ଶେଷ ପର୍ଯ୍ୟନ୍ତ କିଏ ଜିତିବା ତାହା କହିବା ମୁସ୍କିଲ ହୋଇ ପଡ଼ିଥିଲା । ମାତ୍ର ଶେଷରେ ସବୁ ପ୍ରୟାସ ବୃଥା ଯାଇଥିଲା । ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୭.୨ ଓଭରରେ ୨୧୫ ରନ୍ ସଂଗ୍ରହ କରି ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ ହେଡ୍ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ପରାଜୟ ଫଳରେ ପୁଣି ଥରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପରାସ୍ତ ହୋଇ ପୁରୁଣା ଧାରା ବଜାୟ ରଖିଛି ।

Get real time updates directly on you device, subscribe now.