fbpx

ଦେଶବ୍ୟାପୀ କ୍ରିକେଟ ବିଶ୍ୱକପ୍ କ୍ରେଜ୍: ଆଜି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା

ଅହମଦାବାଦ: ବିଶ୍ୱକପ ଟାଇଟଲ ପାଇଁ ମହା ମୁକାବିଲା । ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ କୋଳାହଳ ମୟ ପରିବେଶ ମଧ୍ୟରେ ଦୁଲୁକିବ ନରେନ୍ଦ୍ର ମୋଦି ଷ୍ଟାଡିୟମ । କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ମହା ସମର ନେଇ ଅହମଦାବାଦ ନଗରୀ ସହିତ ଦେଶବ୍ୟାପୀ ଚଳଚଞ୍ଚଳ । ଦିନିକିଆ କ୍ରିକେଟ ବିଶ୍ୱକପର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ଉପଭୋଗ ପାଇଁ ଦେଶ ବିଦେଶର କୋଣ ଅନୁକୋଣରେ କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ।

ଭାରତର ବିଜୟ ଶୁଭ କାମନା ନେଇ ଦେଶ ବିଭିନ୍ନ ସ୍ଥାନରେ ଚାଲିଛି ହୋମ ଯଜ୍ଞ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିବେ ଏହି ହାଇଭୋଲଟେଜମୁକାବିଲା । ବିଶ୍ୱର ବୃହତମ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚର ମଜା ଉଠାଇବେ ୧.୩୦ ଲକ୍ଷ ଦର୍ଶକ । ହାର ଜିତ୍ ନେଇ ଚାଲିଛି କଳ୍ପନା ଜଳ୍ପନା । ଭାରତ ତୃତୀୟ ଥର ପାଇଁ ଏହି ସମ୍ମାନ ଜନକ ଟାଇଟଲ ଜିତିବ ବୋଲି ଦେଶର କୋଟିକୋଟି କ୍ରୀଡା ପ୍ରେମୀଙ୍କ ମନରେ ଦୃଢ଼ ବିଶ୍ୱାସ ଓ ଭରସା ରହିଛି । ତେଣୁ ରୋହିତ ବାହିନୀ ସମସ୍ତଙ୍କର ସ୍ୱପ୍ନ ଓ ଆଶାକୁ ନିଶ୍ଚିତ ସାକାର କରିବେ ବୋଲି ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ଫାଇନାଲ ମ୍ୟାଚ ଟିମ୍ ଇଣ୍ଡିଆ ଓ ମୋ ଜୀବନ ପାଇଁ ଏକ ବିରାଟ ମୁହୂର୍ତ୍ତ । ମୁଁ ଭାରତୀୟ ଦଳର ଅଧିନାୟକ ହେବା ଦିନ ଠାରୁ ଏହି ମୁହୂର୍ତ୍ତର ଗୁରୁତ୍ୱକୁ ଅନୁଭବ କରି ମାନସିକ ସ୍ତରରେ ପ୍ରସ୍ତୁତି କରି ଆସିଛି । ତେଣୁ ପ୍ରତିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟ ନେଇ ଅଧିକ ଚିନ୍ତା କରିବା ପରିବର୍ତ୍ତେ ଭାରତର ବିଜୟ ଉପରେ ଅଧିକ ଫୋକସ କରୁଛୁ । କାରଣ ଭାରତ ପାଇଁ ଏହା ଏକ ବୃହତ ତଥା ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ନିଃସନ୍ଦେହରେ କୁହା ଯାଇପାରେ । ଆମେ ନିଶ୍ଚିତ ବିଜୟ ସ୍ୱପ୍ନ ନେଇ ମଇଦାନକୁ ଓହ୍ଲାଇବୁ । ପାଞ୍ଚଥର ଚାମ୍ପିଅନ ଅଷ୍ଟ୍ରେଲିଆ ଚାଲେଞ୍ଜକୁ ଦୃଢ଼ ମନୋବଳ ଦ୍ୱାରା ପ୍ରତିହତ କରିବା ଆମ ପାଇଁ ଏକ ବଡ ଆହ୍ୱାନ । ବିଶ୍ୱକପର ଲିଗ ପର୍ଯ୍ୟାୟରେ ଆମର ପ୍ରଦର୍ଶନ ଅତି ଉତ୍ତମ ରହି ଥିବା ଦୃଷ୍ଟିରୁ ଫାଇନାଲରେ ଏହାର ପ୍ରତିଫଳନ କରିବା ପାଇଁ ବରାବର ଚେଷ୍ଟା କରିବୁ । ତେଣୁ ଅସୀମ ଧୈର୍ଯ୍ୟ ଓ ସଂଯମତା ରକ୍ଷା କରି ଜୋରଦାର ଲଢ଼େଇ କରିବାକୁ ପଡିବ । ଏହି ମ୍ୟାଚ ପାଇଁ ଆମର ଯୋଜନା ଓ ରଣନୀତି କିପରି ସଠିକ ମାର୍ଗରେ କାର୍ଯ୍ୟକାରୀ କରିବୁ ,ତାହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଦଳର ସମସ୍ତ ଖେଳାଳିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଓ ମହତ ଯୋଗଦାନ ବଳରେ ଅଗଣିତ କ୍ରିକେଟ ପ୍ରେମୀଙ୍କ ଆଶା ଓ ସ୍ୱପ୍ନକୁ ଚରିତାର୍ଥ କରି ପାରିବୁ ବୋଲି ବିଶ୍ୱାସ ରଖିଛୁ ।

ଭାରତ ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ଜିତି ଥିବା ବେଳେ ୨୦୧୧ରେ ମହେନ୍ଦ୍ର ସିଂଙ୍କ ଅଧିନାୟକତ୍ୱରେ ଭାରତ ଦ୍ୱିତୀୟ ବିଶ୍ୱକପ ଟାଇଟଲ ଅକ୍ତିଆର କରିଥିଲା । ତେଣୁ ଘରୋଇ ପରିବେଶ ଓ ଦର୍ଶକଙ୍କ ବିପୁଳ ସମର୍ଥନରେ ପୁଣି ଥରେ ଭାରତକୁ ବିଜୟ ପଥରେ ଆଗେଇ ନେବା ଅଭିଳାଷ ରଖିଛୁ ବୋଲି ରୋହିତ କହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ଦଳ ଅଧିନାୟକ ପ୍ୟାଟ କମିନ୍ସ ମଧ୍ୟ ଟାଇଟଲ ହାସଲ ପାଇଁ ଆଶାୟୀ । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କମିନ୍ସ କହିଛନ୍ତି ଯେ ଭାରତ ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳ । ଲିଗ ପର୍ଯ୍ୟାୟରେ ସେମାନଙ୍କ ପ୍ରଦର୍ଶନ ସବୁଠାରୁ ଭଲ ରହି ଲିଗ ପର୍ଯ୍ୟାୟ ମୁକାବିଲାରେଛି । ଆମେ ଭାରତ ଠାରୁ ହାରି ଥିଲେ ହେଁ ଫାଇନାଲ ଲଢ଼େଇ ଅବସରରେ ତାହା ଭୁଲି ଯିବୁ । କାରଣ ଟାଇଟଲ ଲଢ଼େଇ ଏକ ବୃହତ ସମ୍ମାନର ପ୍ରଶ୍ନ । ତେଣୁ ଆଜିର ଫାଇନାଲ ମୁକାବିଲା ନିଶ୍ଚିତ ସଂଘର୍ଷପୂର୍ଣ୍ଣ ଓ ଉପଭୋଗ୍ୟ ହେବ ।

Get real time updates directly on you device, subscribe now.