fbpx

ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ୧୦୦ କୋଟି ଟପିବ: ବିଶ୍ୱରେ ବଢ଼ିବ ଭାରତର ଦବଦବା, ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ- ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ଶିଳ୍ପ, ପ୍ରତିରକ୍ଷା, ମହାକାଶ, ବିଜ୍ଞାନ ଆଦି କ୍ଷେତ୍ରରେ ଆଗକୁ ବଢ଼ୁଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ପକ୍ଷରୁ ଆକଳନ କରାଯାଇଛି । ତେବେ ଆଗାମୀ ଦିନରେ ଭାରତର ଶକ୍ତି ବିଶ୍ୱରେ ଆହୁରି ବଢ଼ିବାର ସମ୍ଭାବନା ରହିଛି । ବର୍ତ୍ତମାନ ଭାରତର ମୋଟ ଜନସଂଖ୍ୟା ୧୪୦ କୋଟି ରହିଥିବା ବେଳେ ଏହା ବିଶ୍ୱର ଅନ୍ୟତମ ଜନବହୁଳ ଦେଶ ଭାବେ ପରିଗଣିତ ହେଉଛି । ବିଶେଷ କରି ମଧ୍ୟବିତ ଶ୍ରେଣୀଙ୍କ ସଂଖ୍ୟା ବୃଦ୍ଧି ଭାରତ ପାଇଁ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି । ଗତବର୍ଷ ଏନେଇ ଏକ ରିପୋର୍ଟ ଜାରି କରାଯାଇଥିବା ବେଳେ ଭବିଷ୍ୟତରେ ତାହା ସତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମଧ୍ୟବିତ୍ତ ରହିଛନ୍ତି । ଏହା ୨୦୩୧ ସୁଦ୍ଧା ୪୦ ପ୍ରତିଶତ ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତ ହୋଇଯିବ । ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବାରେ ଫଳରେ ଦେଶର ବ୍ୟବହାର ମଧ୍ୟ ଦ୍ରୁତ ଭାବେ ବୃଦ୍ଧି ପାଇବ । ଏହାଦ୍ୱାରା ଦେଶର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ବିଶାଳ ଘରୋଇ ଚାହିଦା ଶକ୍ତି ଆଧାରରେ ଦେଶୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର କ୍ଷମତା ଦେଖାଇବେ ।

୧୯୯୫ରୁ ୨୦୨୧ ମଧ୍ୟରେ ମଧ୍ୟବିତ୍ତଙ୍କର ବୃଦ୍ଧି ବାର୍ଷିକ ୬.୩ ପ୍ରତିଶତ ରହିଥିଲା । ଆଜି ଭାରତର ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମଧ୍ୟବିତ୍ତ ରହିଥିବା ବେଳେ ୨୦୩୧ ସୁଦ୍ଧା ଏହା ୪୦ ପ୍ରତିଶତ ହେବାର ଅନୁମାନ କରାଯାଉଛି । ସେହିପରି ୨୦୪୭ ସୁଦ୍ଧା ଭାରତୀୟ ଜନସଂଖ୍ୟାରେ ମଧ୍ୟବିତ୍ତଙ୍କ ସଂଖ୍ୟା ୬୦ ପ୍ରତିଶତରେ ପହଞ୍ଚିଯିବ । ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ସହ ଦେଶରେ ୧ ଅରବ ବା ୧୦୦ କୋଟିରୁ ଅଧିକ ମଧ୍ୟବିତ୍ତ ଶ୍ରେଣୀର ଲୋକ ରହିବେ ।

ଏଫଏମସିଜି ସେକ୍ଟରର ବିଦେଶୀ ବହୁଦେଶୀୟ କମ୍ପାନୀମାନେ ଯେତେବେଳେ ଭାରତ ଆସିବେ ସେତେବେଳେ ଭାରତରେ ଏକ ବୃହତ ମାର୍କେଟ ସୃଷ୍ଟି ହୋଇପାରେ । ବିଦେଶୀ କମ୍ପାନୀମାନେ ନିଜର ଫାଇଦା ପାଇଁ ଏଠାକୁ ଆସିବେ । ଆଗାମୀ ଦିନରେ ମଧ୍ୟବିତ୍ତ ଶ୍ରେଣୀ ଭାରତର ପରଚେଜିଂ ପାୱାରକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହେବେ । ଦେଶୀୟ କମ୍ପାନୀମାନେ ଘରୋଇ ଡିମାଣ୍ଡ ଆଧାରରେ ସହଜରେ ଗ୍ଲୋବାଲ କମ୍ପାନୀ ହୋଇଯିବେ । ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବା ସହିତ ଡିସ୍ପୋଜେବଲ ଇନକମ ମଧ୍ୟ ବଢ଼ିବ, ଯାହାକି ଭାରତକୁ ଏକ ବ୍ୟବହାରର ଶକ୍ତିକେନ୍ଦ୍ରରେ ପରିଣତ କରାଇବ ।

ଭାରତରେ ଏଜୁକେସନ, ଇନୋଭେସନ ଓ ଏଣ୍ଟରପ୍ରାଇଜ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ଦେଶରେ ବେଙ୍ଗାଲୁରୁ, ହାଇଦ୍ରାବାଦ ପରି ୧୨ଟି ସହର ସୃଷ୍ଟି ହୋଇପାରେ । ଏହିସବୁ ବଡ଼ ବଡ଼ ସହରମାନଙ୍କରେ ଭାରତୀୟ ଟେକ୍ନିକାଲ ବିଶେଷଜ୍ଞମାନେ ନିଜର ବ୍ରେନକୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଚାଲିବେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ତେବେ ଏହି ଏହି ରିପୋର୍ଟର ଆକଳନ ଯଦି ସତ ହୁଏ ତେବେ ଭବିଷ୍ୟତରେ ଭାରତ ବିଶ୍ୱ ମାନଚିତ୍ରର କେନ୍ଦ୍ରସ୍ଥଳୀ ପାଲଟିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.