fbpx

ଆଗକୁ ଆସୁଛି ସିବିଏସଇ ବୋର୍ଡ ପରୀକ୍ଷା: ଛାତ୍ରଛାତ୍ରୀମାନେ ଅଧିକ ଟେନସନ୍ ନିଅନ୍ତୁନି, ଚାପମୁକ୍ତ ରହିବା ମସ୍ତିଷ୍କ ପାଇଁ ଭଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପରୀକ୍ଷା । ଆସନ୍ତା ୧୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଚାପରେ ରହିବା ସ୍ୱାଭାବିକ । ତେବେ ମାତ୍ରାଧିକ ଚାପ କାରଣରୁ ଅନେକ ସମୟରେ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାର ସମ୍ଭାବନା ରହିଥାଏ । ତେଣୁ ଏହି ସମୟରେ ପିଲାଙ୍କୁ କିପରି ଚାପମୁକ୍ତ ରଖାଯାଇପାରିବ ତା’ ଉପରେ ଅଭିଭାବକମାନେ ଧ୍ୟାନ ଦେବା ଆବଶ୍ୟକ ।

ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ସର୍ବଦା ଚାପରେ ରହିଥାନ୍ତି । ଏପରିକି ଅନେକ ଡିପ୍ରେସନର ଶିକାର ହେବା ସହ ଆତ୍ମହତ୍ୟା ପରି ରାସ୍ତାକୁ ମଧ୍ୟ ବାଛି ନେଇଥାନ୍ତି । ମୁଖ୍ୟତଃ ପିଲାମାନେ ପରୀକ୍ଷା ପୂର୍ବରୁ ଓ ପରେ ଚାପରେ ରହିଥାନ୍ତି । ପିତାମାତା, ଶିକ୍ଷକ, କୋଚିଂ ସେଣ୍ଟର ଆଦି ସ୍କୁଲ ପିଲାଙ୍କ ଉପରେ ଭଲ ରେଜଲ୍ଟ ପାଇଁ ପ୍ରବଳ ଚାପ ପକାଇଥାନ୍ତି । ଫଳରେ ପିଲାମାନେ ଭୟଭୀତ ହୋଇଯାଇଥାନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ଯାହାର ପ୍ରୟୋଗ କରି ଆପଣ ପିଲାମାନଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ କରିପାରିବେ ।

– ପରୀକ୍ଷା ଫଳାଫଳକୁ ନେଇ ଆପଣ ଏପରି ବ୍ୟକ୍ତିଙ୍କ ସହ ଆଲୋଚନା କରିପାରିବେ, ଯାହାଙ୍କୁ ଆପଣ ପରାମର୍ଶଦାତା ମାନିଥାନ୍ତି । ସେ ଆପଣଙ୍କର ସାଙ୍ଗ, ଶିକ୍ଷକ, ପିତାମାତା ବା ଅନ୍ୟ କେହି ହୋଇ ପାରନ୍ତି ।

– ଅନ୍ୟ ସାଙ୍ଗସାଥୀଙ୍କ ସହ ନିଜକୁ ତୁଳନା କରନ୍ତୁ ନାହିଁ । ଅଯଥା କଥା ନ ଭାବି ଯାହା ହୋଇଛି ଭଲ ହୋଇଛି ବୋଲି ନିଜକୁ ସ୍ଥିର ରଖନ୍ତୁ ।

– ପରୀକ୍ଷା ଫଳାଫଳର ଭଲ ଓ ଖରାପ ଦିଗ ପ୍ରତି ଦୃଷ୍ଟି ଦେଇ ଭବିଷ୍ୟତର ଯୋଜନା ନିର୍ଦ୍ଧାରଣ କରନ୍ତୁ ।

– ମାନସିକ ଦୁଶ୍ଚିନ୍ତା, ଫଳାଫଳକୁ ନେଇ ହତାଶା, କ୍ରୋଧ ଆଦିକୁ ଏଡ଼ାଇବା ପାଇଁ ଖେଳ, କସରତ କରନ୍ତୁ । ସାଙ୍ଗ ସହ ସମୟ ଅତିବାହିତ କରନ୍ତୁ । ମନ ଖୁସି ରହିଲେ ତାହା ଆମର ମସ୍ତିଷ୍କକୁ ଶାନ୍ତ ରଖିଥାଏ ଓ ଏହା ପିଲାଙ୍କର ଏକାଗ୍ରତାକୁ ବୃଦ୍ଧି କରିଥାଏ ।

– ଚାପ କମ୍ କରିବା ପାଇଁ ମଦ୍ୟପାନ, ଡ୍ରଗ୍ସ କିମ୍ବା ଅନ୍ୟ ଧୂମପାନ ସେବନ କରନ୍ତୁ ନାହିଁ । ମନେରଖନ୍ତୁ ଯେ, ମାର୍କ ଆପଣଙ୍କର ଭବିଷ୍ୟତର ସଫଳତାର ଚାବିକାଠି ନୁହେଁ । ଆପଣଙ୍କ ଜୀବନର ଏହା ହେଉଛି ସାମାନ୍ୟ ପରୀକ୍ଷା ।

– ପରୀକ୍ଷା ସମୟରେ ପିତାମାତା ପିଲାମାନଙ୍କର ଦୈନିକ କାର୍ଯ୍ୟକଳାପ ଓ ମାନସିକ ସ୍ଥିତି ବିଷୟରେ ନଜର ରଖିବା ଦରକାର । ସେମାନଙ୍କ ସହ ସକାରାତ୍ମକ କଥାବାର୍ତ୍ତା କରିବା ଉଚିତ ।

– ପରୀକ୍ଷା ସମୟରେ ଟେନସନରେ ରହି ଖାଦ୍ୟକୁ ଅବହେଳା କରନ୍ତୁ ନାହିଁ । କାରଣ ସୁଷମ ଖାଦ୍ୟ ନ ଖାଇଲେ ଆପଣ ପରୀକ୍ଷା ପ୍ରସ୍ତୁତି ଭଲରେ କରିପାରିବେ ନାହିଁ ।

– ପିଲାଙ୍କୁ ଚାପମୁକ୍ତ ରଖିବା ପାଇଁ ପିତାମାତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିତାମାତା ପିଲାଙ୍କୁ ପାଠର ବୋଝ ଲଦିବା ଅନୁଚିତ । ସେମାନଙ୍କୁ ଟେନସନ ଫ୍ରି ରଖିବାକୁ ଚେଷ୍ଟା କରିବା ଉଚିତ ।

– ପିତାମାତା ପିଲାମାନଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଅନୁଚିତ । ଫଳାଫଳ ଖରାପ ହେଲେ ବା ବିନା କାରଣରେ ସେମାନଙ୍କୁ ଗାଳି କରିବା ଅନୁଚିତ ।

Get real time updates directly on you device, subscribe now.