fbpx

ପାକିସ୍ତାନର ୯୦୦ରୁ ଅଧିକ ନାଗରିକଙ୍କୁ କଳା ତାଲିକାଭୁକ୍ତ କଲା ଭାରତ, ଏବେ ମିଳୁନି ଭିସା

ବାଡମେର: ପାକିସ୍ତାନ ଭିସାରେ ଭାରତ ଆସି କିଏ ୪୫ ଦିନ ପରିବର୍ତ୍ତେ ମାସ ମାସ ଧରି ରହିଲାଣି ତ ଆଉ କିଏ ୬ ମାସ ରହିଲାଣି। ଏହାକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ୯୦୦ରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ କଳା ତାକିକାଭୁକ୍ତ ବା ବ୍ଲାକ ଲିଷ୍ଟ କରିଛନ୍ତି। ଏହି ସବୁ ଲୋକେ କିଛି ସମୟ ପାଇଁ ପାକିସ୍ତାନ ଭିସାରେ ଭାରତ ଆସିଥିଲେ ମାତ୍ର କେହି ନା କେହି କୌଣସି କାରଣବଶତଃ ଅଧିକ ସମୟ ଧରି ରହି ଯାଇଥିଲେ। ଏହି କାରଣରୁ ସେମାନଙ୍କୁ ବର୍ତ୍ତମାନ କଳାତାଲିକାଭୁକ୍ତ କରାଯାଇଛି।

ଏଥିରେ ସର୍ବାଧିକ ସୋଢା ରାଜପୁତ ପରିବାରର ଲୋକେ ଅଛନ୍ତି। ବର୍ତ୍ତମାନ ସେମାନେ ନିଜ ସଂପର୍କୀୟଙ୍କୁ ଭେଟିବା ପାଇଁ ଭାରତ ଆସିବାକୁ ଚାହାନ୍ତି। ମାତ୍ର ସେମାନଙ୍କୁ ଭିସା ମିଳୁନାହିଁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୁଲତୟା ଭାରତ-ପାକିସ୍ତାନ ସୀମା ସ୍ଥିତ ବାଡମେର ଏବଂ ଜୈସଲମେର ଜିଲ୍ଲାର ବାସିନ୍ଦା।

ଭାରତ-ପାକିସ୍ତାନ ମଧ୍ୟରେ ବନ୍ଧୁତା ଆଧାରରେ ଥର ଏକ୍ସପ୍ରେସର ସଞ୍ଚାଳନ ୨୦୦୬ରୁ ୨୦୧୮ ପର‌୍ୟ୍ୟନ୍ତ କରାଯାଇଥିଲା। ଏହି ୧୨ ବର୍ଷରେ ପ୍ରାୟ ୪ ଲକ୍ଷ ଲୋକ ଭାରତ ଯାତ୍ରା କରିଥିଲେ। ଏହି ସମୟରେ ଅନେକ ଲୋକ ଭିସା ନିୟମଠୁ ଅଧିକ ସମୟ ଏଠାରେ ରହି ଯାଇଥିଲେ। କେନ୍ଦ୍ର ସରକାର ଯେବେ ଏହା ଜାଣିବାକୁ ପାଇଲେ ତୁରନ୍ତ ପଦକ୍ଷେପ ନେଇ ୯୦୦ରୁ ଅଧିକ ଲୋକଙ୍କୁ କଳା ତାଲିକାଭୁକ୍ତ କରିଛନ୍ତି।

ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କରେ ତିକ୍ତତା ଏବଂ ଉତ୍ତେଜନା ସମୟରେ ଏହି ଲୋକଙ୍କୁ କୌଣସି ଫରକ ପଡିନଥିଲା। କିନ୍ତୁ ଓ୍ଵାଘା ବର୍ଡର ଖୋଲିବା ପରେ ଭିସା ପାଇଁ ଆବେଦନ କରିବାରୁ ଆଉ ଭିସା ମିଳୁନାହିଁ। ପାକ୍ ବିସ୍ଥାପିତ ଲୋକେ କହୁଛନ୍ତି ଯେ, ୨୦୧୯ରେ ପୁଲଓ୍ଵାମା ହମଲା ଏବଂ ୨୦୨୦ରୁ ୨୦୨୧ ମଧ୍ୟରେ କରୋନା କାଳରେ ଭିସାକୁ ନେଇ କୌଣସି ଆଲୋଚନା କରାଯାଇନଥିଲା। ମାତ୍ର ଏବେ ଭାରତ ଆସିବା ପାଇଁ ଭିସା ଆବେଦନ କରିବାରୁ ଜଣା ପଡିଛି ଯେ, ଆମକୁ କଳା ତାଲିକାଭୁକ୍ତ କରାଯାଇଛି।

Get real time updates directly on you device, subscribe now.