fbpx
BJD SKY
BJD SKY

ଭାରତ ସରକାରଙ୍କ ଗୋଟିଏ ନିଷ୍ପତ୍ତିରେ ବଞ୍ଚି ଯାଇଥାନ୍ତା ଏକ ଲକ୍ଷ ଲୋକଙ୍କ ଜୀବନ, ବିଶେଷଜ୍ଞଙ୍କ ରିପୋର୍ଟରୁ ଖୁଲାସା

BJD

ଭୁବନେଶ୍ଵର : ଭାରତରେ କରୋନା ମହାମାରୀର ଦ୍ଵିତୀୟ ଭାଇରସ୍ ଖୁବ୍ ତାଣ୍ଡବ ମଚାଇଛି। ସ୍ଥିତି ଏମିତି ଥିଲା ଯେ, ଏପ୍ରିଲ-ମେ ମାସରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। ସେହି ପରି ଦୈନିକ ମୃତ୍ୟୁ ସଂଖ୍ୟା ୬ ହଜାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ହେଲେ ଜୁନ ମଧ୍ୟଭାଗ ଆଡକୁ ସଂକ୍ରମଣର ହାର ଧିମା ପଡିବା ଆରମ୍ଭ  ହୋଇଥିଲା। ଏହା ମଧ୍ୟରେ ଆମେରିକା ଓ ବ୍ରିଟେନରେ ହୋଇଥିବା ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଭାରତରେ ଲକଡାଉନ ଲଗାଇବା ନେଇ ମାର୍ଚ୍ଚ ଆରମ୍ଭରୁ ନିଷ୍ପତ୍ତି ନିଆଯାଇଥାନ୍ତା ତେବେ କରୋନାର ୯୦ ଲକ୍ଷରୁ ୧.୩୦ କୋଟି କେସ୍ ରୋକାଯାଇ ପାରିଥାନ୍ତା। ସେହି ପରି ପ୍ରାୟ ଏକ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖରୁ  ବଞ୍ଚାଯାଇ ପାରିଥାନ୍ତା।

ସୂଚନାଯୋଗ୍ୟ, କରୋନାର ଦ୍ଵିତୀୟ ଲହର ସମୟରେ ନିର୍ବାଚନ ରାଲି, କୁମ୍ଭ ମେଳା ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ରୋକ୍ ନଲଗାଯିବା କାରଣରୁ ସଂକ୍ରମଣ ଅଧିକ ବଢିଥିବା ଅନେକ ସ୍ଵାସ୍ଥ୍ୟ ବିଶେଷଜ୍ଞ ତର୍କ ଦେଇ ସାରିଛନ୍ତି। କିନ୍ତୁ ଏହା ପ୍ରଥମ ଏମିତି ଅଧ୍ୟୟନ ଯେଉଁଥିରେ ଦ୍ଵିତୀୟ ଲହରରେ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ରୋକାଯିବା ବିଷୟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖନୀୟ, ଭାରତରେ ଦ୍ଵିତୀୟ ଲହର ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନର ଘୋଷଣା କରାଯାଇ ନଥିଲା। ବରଂ ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଥିଲା। ପୂର୍ଣ୍ଣକାଳୀନ ଲକଡାଉନର ଘୋଷଣା ସର୍ବପ୍ରଥମେ ମହାରାଷ୍ଟ୍ରରେ ହୋଇଥିଲା। ଏହି ରାଜ୍ୟରେ ଏପ୍ରିଲ ୧୪ରୁ କଟକଣା ଲାଗୁ କରାଯାଇଥିଲା। ଅନେକ ରାଜ୍ୟରେ ତ କରୋନାର ଜବରଦସ୍ତ କେସ ବଢିବା ପରେ ବି କଟକଣା ଲଗାଇବା ପାଇଁ ନିର୍ବାଚନ ସରିବାକୁ ଅପେକ୍ଷା କରାଯାଇଥିଲା।

ଏହି ଅଧ୍ୟୟନର ନେତୃତ୍ଵ ନେଇଥିବା ଲୋକଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ ମିଶିଗନର ବାୟୋଷ୍ଟାଟିସଟିକ୍ସର ପ୍ରଫେସର ଭରମାର ମୁଖାର୍ଜୀ ଓ ଲଣ୍ଡରନ ଇମ୍ପିରିୟଲ କଲେଜର ସ୍ଵପ୍ନିଲ ମିଶ୍ର ସାମିଲ ଅଛନ୍ତି। ଅଧ୍ୟୟନରେ କୁହାଯାଇଛି ଯେ, ଦ୍ରୁତ ଗତିରେ ବ୍ୟାପୁଥିବା ଡେଲଟା ଭାରିଏଣ୍ଟ ଭାରତରେ ଦ୍ଵିତୀୟ ଲହରର ସବୁଠୁ ବଡ କାରଣ ଥିଲା। ମାତ୍ର ଆରମ୍ଭରୁ କଟକଣା ଲଗାଯାଇ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା।

ଆମେରିକା ଓ ବ୍ରିଟେନର ରିସର୍ଚ୍ଚ ଗ୍ରୁପ ତରଫରୁ କରାଯାଇଥିବା ଏହି ଅଧ୍ୟୟନରେ ଏହା ଜଣା ପଡିଛି ଯେ, କେମିତି ମହାରାଷ୍ଟ୍ରରେ ୨୦୨୦ ଡିସେମ୍ବରରେ ହିଁ ଡେଲଟା ଭାରିଏଣ୍ଟର ଚିହ୍ନଟ ପରେ ସଂକ୍ରମଣ ବଢିବା ଆରମ୍ଭ ହୋଇ ଯାଇଥିଲା। ବିଶ୍ଳେଷଣରେ କୁହାଯାଇଛି, ମାର୍ଚ୍ଚ ୧ରୁ ମେ ୧୫ ପର୍ଯ୍ୟନ୍ତ କରୋନାର ଶିଖର ସମୟରେ ଆଂଶିକ କଟକଣା ଜରିଆରେ ମଧ୍ୟ ଭାରତରେ ଏକ ଲକ୍ଷ ମୃତ୍ୟୁ ରୋକା ଯାଇ ପାରିଥାନ୍ତା।

କରୋନାର ଦ୍ଵିତୀୟ ଲହରରେ ଅଢେଇ ଗୁଣ  ବଢି ଯାଇଥିଲା କରୋନା କେସ୍

ଭାରତରେ କରୋନାର ଦ୍ଵିତୀୟ ଲହର ଫେବୃଆରୀର ମଧ୍ୟ ଭାଗରୁ ଆରମ୍ଭ ହୋଇ ଯାଇଥିଲା। ସେତେବେଳେ ଦେଶରେ ପ୍ରାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ଥିଲା। ଯାହା ପରେ  ବଢି ମେ ୧୫ ବେଳକୁ ୨ କୋଟି ୪୩ ଲକ୍ଷରେ ପହଞ୍ଚିଥିଲା। ମାର୍ଚ୍ଚ ୧ରୁ ମେ ୧୫ ପର୍ଯ୍ୟନ୍ତ ଦେଶରେ ଘଟିଥିବା କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୫୭ ହଜାରରୁ  ବଢି ୨ ଲକ୍ଷ ୬୬ ହଜାରରେ ପହଞ୍ଚିଥିଲା।

 

Get real time updates directly on you device, subscribe now.