fbpx
BSKY SKY
BSKY SKY

ସ୍ୱର୍ଣ୍ଣ ଜିତି ଶତକର ଇତିହାସ ଲେଖିଲା ଭାରତ: ପ୍ରଥମ ଥର ଏସୀୟ ପାରା କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଛୁଇଁଲା

BSKY

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଷଷ୍ଠ ତଥା ଅନ୍ତିମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଓ ପଞ୍ଚମ ଦିନରେ ୭ଟି ସ୍ୱର୍ଣ୍ଣ ସହିତ ୧୭ଟି ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୯ରେ ପହଞ୍ଚିବା ସହିତ ସେଥିରେ ୨୫ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଆଜି ଅନ୍ତିମ ଦିବସରେ ଭାରତ ସ୍ୱର୍ଣ୍ଣରୁ ତା’ର ବିଜୟ ଯାତ୍ରା ଆରମ୍ଭ କରିଛି । ଦିଲିପ ମହାଦୁ ଗାଭିଟ ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି । ୪୯.୪୮ ସେକେଣ୍ଡରେ ଦିଲିପ ଏହି ସଫଳତା ହାସଲ କରିଛନ୍ତି । ଏହାଫଳରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୬ରେ ପହଞ୍ଚିବା ସହିତ ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଏସୀୟ ପାରା କ୍ରୀଡ଼ା ଇତିହାସରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି । ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଗୌରବର ବିଷୟ ।

ହାଙ୍ଗଝୋଉ ସଂସ୍କାରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.