fbpx
BSKY SKY
BSKY SKY

ଜାଭେଲିନ୍ ଥ୍ରୋ’ରେ ଭାରତକୁ ସ୍ୱର୍ଣ୍ଣ: ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ଜିତିଲେ ନିରଜ

BSKY

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଷଷ୍ଠ ତଥା ଅନ୍ତିମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଓ ପଞ୍ଚମ ଦିନରେ ୭ଟି ସ୍ୱର୍ଣ୍ଣ ସହିତ ୧୭ଟି ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୯ରେ ପହଞ୍ଚିବା ସହିତ ସେଥିରେ ୨୫ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଆଜି ଅନ୍ତିମ ଦିବସରେ ଭାରତ ସ୍ୱର୍ଣ୍ଣରୁ ତା’ର ବିଜୟ ଯାତ୍ରା ଆରମ୍ଭ କରିଛି । ଦିଲିପ ମହାଦୁ ଗାଭିଟ ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିବା ପରେ ଭାରତ ପୁଣି ଜିତିଛି ଏକ ସ୍ୱର୍ଣ୍ଣ । ପୁରୁଷ ଏଫ-୫୫ ଜାଭେଲିନ୍ ଥ୍ରୋ’ରେ ନିରଜ ଯାଦବ ସ୍ୱର୍ଣ୍ଣ ଜିତିବା ସହିତ ଟେକ ଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି । ଚଳିତ ସଂସ୍କରଣରେ ଦ୍ୱିତୀୟ ଥର ପାଇଁ ନିରଜ ସ୍ୱର୍ଣ୍ଣ ଜିତିଛନ୍ତି । ନିରଜ ୩୩.୬୯ ମିଟର ଥ୍ରୋ କରି ନୂଆ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡିସକସ ଥ୍ରୋ ଏଫ୫୪/୫୫/୫୬ ଇଭେଣ୍ଟରେ ମଧ୍ୟ ନିରଜ ସ୍ୱର୍ଣ୍ଣ ଜିତିଥିଲେ ।

ହାଙ୍ଗଝୋଉ ସଂସ୍କାରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଭାରତ ୧୦୦ରୁ ଅଧିକ ପଦକ ଜିତି ଶତକ ଅର୍ଜନ କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.