fbpx

ଗ୍ଲୋବାଲ ଆର୍ଥିକ ସଙ୍କଟରୁ ଭାରତ ଅଲଗା, ଆଗକୁ ଆସିବ ନିଯୁକ୍ତିର ଅପୂର୍ବ ସୁଯୋଗ: Quess Corp Founder

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱର କିଛି ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ଆଗକୁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ଏ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ର ଅପେକ୍ଷା ଅଲଗା ରହିଛି । କିଛି ବର୍ଷ ମଧ୍ୟରେ ଭାରତରେ ନିଯୁକ୍ତିର ହାର ବୃଦ୍ଧି ପାଇବ । ବିଜିନେସ ସେବା ପ୍ରଦାନକାରୀ କ୍ୱେସ କର୍ପର ପ୍ରତିଷ୍ଠାତା ଓ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଜିତ ଆଇଜାକ ଏହି ମତ ଦେଇଛନ୍ତି ।

ସେ କହିଛନ୍ତି, ଆର୍ଥିକ ସଙ୍କଟ କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କଠାରୁ ଅଲଗା ରହିଛି । ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତ ପହଞ୍ଚି ନପାରେ, ମାତ୍ର ଅଭିବୃଦ୍ଧି ନିଶ୍ଚିତ ଭାବେ ହେବ । ଗତ ୨୦୦୦ରୁ ୨୦୦୭ ମସିହା ମଧ୍ୟରେ ଭାରତର ନିଯୁକ୍ତି କ୍ଷେତ୍ରରେ ଅଦ୍ଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୦୦ରେ ୪୭୦ ବିଲିଅନ ଡଲାର ଓ ୨୦୦୭ରେ ୧.୨ ଟ୍ରିଲିଅନ ଡଲାର ଜିଡିପି ରହିଥିଲା । କିଛି ବର୍ଷ ମଧ୍ୟରେ ଅଭିବୃଦ୍ଧିର ହାର ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଇଜାକ କହିଥିଲେ ।

ଏଚଆର ସେବା ପୋର୍ଟୋଫୋଲିଓକୁ ମଜବୁତ କରିବା ଉଦ୍ଦେଶ୍ୟରେ ଗତ ୨୦୧୮ରେ କ୍ୱେସ କର୍ପ ମୋନଷ୍ଟର ୱାର୍ଲ୍ଡୱାଇଡର ଏପିଏସି ଓ ଏମଇ ବିଜିନେସକୁ ଅଧିଗ୍ରହଣ କରିଥିଲା । କମ୍ପାନୀ ଭାରତ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ହଂକଂ, ଭିଏତନାମ, ଥାଇଲାଣ୍ଡ, ଇଣ୍ଡୋନେସିଆ, ୟୁଏଇ ଓ ସାଉଦି ଆରବରେ କାର୍ଯ୍ୟ ଆରମ୍ଭ କରିଥିଲା ।

Get real time updates directly on you device, subscribe now.