fbpx

ଭାରତର ହାତ ମୁଠାରେ ମୁମ୍ବାଇ ଟେଷ୍ଟ, ବିଜୟଠୁ ୫ ଓ୍ଵିକେଟ୍ ଦୂରରେ ବିରାଟ ବାହିନୀ

ମୁମ୍ଵାଇ : ଭାରତର ହାତ ମୁଠାରେ ମୁମ୍ବାଇ ଟେଷ୍ଟ। ପୂରା ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବିରାଟ ବାହିନୀ। ଦ୍ଵିତୀୟ ଟେଷ୍ଟରେ ବିଜୟଠୁ ଆଉ ୫ ଓ୍ଵିକେଟ୍ ଦୂରରେ ଭାରତୀୟ ଦଳ। ମୁମ୍ଵାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଭାରତ ଦ୍ଵାରା ଧାର୍ଯ୍ୟ ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି। ହେନରି ନିକୋଲାସ(୩୬) ଓ ରଚିନ ରବିନ୍ଦ୍ର(୨) କ୍ରିଜରେ ଅପରାଜିତ ଅଛନ୍ତି। ମ୍ୟାଚ୍ ଆଉ ଦୁଇ ଦିନ ବାକି ଥିବା ବେଳେ ଭାରତ ବିଜୟଠୁ ୫ ଓ୍ଵିକେଟ୍ ଦୂରରେ ରହିଛି। ନ୍ୟୁଜିଲାଣ୍ଡ ହାତରେ ୫ ଓ୍ଵିକେଟ୍ ଥାଇ ବିଜୟ ପାଇଁ ୪୦୦ ରନ ଆବଶ୍ୟକ। ଏହା ପୂର୍ବରୁ ଭାରତୀୟ ଦଳ ଦ୍ଵିତୀୟ ଇନିଂସରେ ୨୭୬/୭ରେ ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୫୪୦ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିବା ବେଳେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୬୨ ରନରେ ଅଲଆଉଟ୍ ହୋଇଥିଲା।
ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଦଳ ୧୩ ରନ ସ୍କୋରରେ ଟମ୍ ଲାଥମ(୬)ଙ୍କ ଓ୍ଵିକେଟ୍ ହରାଇଥିଲା। ଓ୍ଵିଲ ୟୋଙ୍ଗ ଓ ଡାରିଲ ମିଚେଲ୍ କିଛି ସମୟରେ କ୍ରିଜରେ ଜମିଥିଲେ ମଧ୍ୟ ୟୋଙ୍ଗ(୨୦)ଙ୍କୁ ଆଉଟ୍ କରି ଅଶ୍ଵିନ ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ରସ ଟେଲର(୬) ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ସେ ଅଶ୍ଵିନଙ୍କ ତୃତୀୟ ଶିକାର ହୋଇଛନ୍ତି। ଏହା ପରେ ମିଚେଲ୍ ଓ ହେନରି ନିକୋଲାସ ଦଳର ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ବିଶେଷ କରି ଡାରିଲ୍ ମିଚେଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରି କିଛି ସମୟ ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ସେ ଟେଷ୍ଟ କ୍ରିକେଟ୍ରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଯୋଡି କ୍ରିଜରେ ଜମି ଆସିବା ବେଳକୁ ନ୍ୟୁଜିଲାଣ୍ଡକୁ ଚତୁର୍ଥ ଝଟକା ଦେଇଛନ୍ତି ଅକ୍ଷର ପଟେଲ୍। ଭଲ ବ୍ୟାଟିଂ କରୁଥିବା ମିଚେଲ୍ ବେପରୁଆ ସଟ୍ ଖେଳି ଆଉଟ୍ ହୋଇଛନ୍ତି। ସେ ୯୨ ବଲ୍ରୁ ୭ ଚୌକା ଓ ୨ ଛକା ସହ ୬୦ ରନ କରିଛନ୍ତି। ନିକୋଲାସଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡିଥିଲେ। ଏହା ପରେ ଟମ୍ ବ୍ଲୁଣ୍ଡେଲ(୦) ରନ ଆାଉଟ୍ ହୋଇଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି।
ଏହା ପୂର୍ବରୁ ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୬୯/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦମଦାର ବ୍ୟାଟିଂ କରି ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ଵର ପୂଜାରା ପ୍ରଥମ ଓ୍ଵିକେଟ୍ରେ ୧୦୭ ରନ ଯୋଡିଥିଲେ। ମୟଙ୍କ ଅଗ୍ରଓ୍ଵାଲ ପଞ୍ଚମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିବା ସହ ୬୨ ରନ କରି ଆଉଟ୍ ହୋଇଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ପୂଜାରା ପୂଜାରା ୪୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏହା ପରେ ଶୁଭମାନ ଗିଲ୍ ଓ କୋହଲି ତୃତୀୟ ଓ୍ଵିକେଟ୍ରେ ୮୨ ରନ ଯୋଡିଥିଲେ। ଗିଲ୍ ୭୫ ବଲ୍ରୁ ୪ ଚୌକା ଓ ୧ ଛକା ସହ ୪୭ ରନରେ ରଚିନ ରବିନ୍ଦ୍ରଙ୍କ ବଲରେ ଆଉଟ୍ ହୋଇଥିଲେ। ପରେ କୋହଲି(୩୬) କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଦ୍ରୁତ ବ୍ୟାଟିଂ କରିବାକୁ ଯାଇ ଶ୍ରେୟସ ଆୟର(୧୪) ଓ ଋଦ୍ଧିମାନ ଶାହା(୧୩) ସଅଳ ଆଉଟ୍ ହୋଇଥିଲେ। ଜୟନ୍ତ ଯାଦବ(୬) ଆଉଟ୍ ହେବା ମାତ୍ରେ ଭାରତ ୨୭୬/୭ ଦ୍ଵିତୀୟ ଇନିଂସ ସମାପ୍ତ ଘୋଷଣା କରିଥିଲା। ଅକ୍ଷର ପଟେଲ୍ ଟି-୨୦ ଷ୍ଟାଇଲ୍ରେ ବ୍ୟାଟିଂ କରି ୨୬ ବଲ୍ରୁ ୩ ଚୌକା ଓ ୪ ଛକା ସହ ୪୧ ରନରେ ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ପୁଣି ଥରେ ଦମଦାର ବୋଲିଂ କରି ଏଜାଜ ପଟେଲ୍ ୧୦୬ ରନରେ ୪ ଓ୍ଵିକେଟ୍ ନେଇଥିବା ବେଳେ ରଚିନ ରବିନ୍ଦ୍ର ୩ଟି ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.