fbpx
BSKY
BJD SHG SKY
BJD YOUTH SKY

ଟୋକିଓ ଅଲିମ୍ପିକ୍ସ: ୩ ପଦକ ଜିତି ସାରିଛି ଭାରତ, ଚତୁର୍ଥ ସୁନିଶ୍ଚିତ, ଭାଙ୍ଗିପାରେ ଲଣ୍ଡନ ଅଲିମ୍ପିକ୍ସର ରେକର୍ଡ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । କ୍ରୀଡା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଆଶା କରାଯାଉଥିଲା ଭାରତ ଅଲିମ୍ପିକ ଇତିହାସରେ ସବୁଠୁ ଉନ୍ନତ ପ୍ରଦର୍ଶନ କରିବ । ଅନେକାଂଶରେ ଏମିତି ମଧ୍ୟ ହୋଇଛି । ମେରିକମ, ଅମିତ୍ ପଙ୍ଘାଲ ଓ ଦୀପିକା କୁମାରୀଙ୍କ ପରି ଅନେକ ବଡ ଖେଳାଳି ବାହାରିବା ପରେ ମଧ୍ୟ ଭାରତ ଆଉ କିଛି ପଦକ ଜିତିବା ଦୌଡରେ ରହିଛି ।
ଅଲିମ୍ପିକ ଇତିହାସରେ ଭାରତ ଏ ପର୍ଯ୍ୟନ୍ତ ମୋଟ୍ ୨୮ ପଦକ ଜିତିଛି । ଏଥିରେ ୯ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୨ କାଂସ୍ୟ ପଦକ ସାମିଲ । ସବୁଠୁ ଅଧିକ ୮ ସ୍ୱର୍ଣ୍ଣ ଭାରତର ହକି ଦଳ ଜିତିଛନ୍ତି । ଦେଶ ପାଇଁ ଏକମାତ୍ର ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିଛନ୍ତି ଅଭିନବ ବିନ୍ଦ୍ରା । ୨୦୦୮ ବେଜିଂ ଅଲିମ୍ପିକ୍ସର ସୁଟିଂରେ ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ ।

ଭାରତ ପରିପ୍ରେକ୍ଷୀରେ ସବୁଠୁ ଭଲ ଅଲିମ୍ପିକ୍ସ ହେଉଛି ୨୦୧୨ ଲଣ୍ଡନ ଅଲିମ୍ପିକ୍ସ । ଉକ୍ତ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିବାରେ ସଫଳ ହୋଇଥିଲା । ଏଥିରେ ୨ ରୌପ୍ୟ ଓ ୪ କାଂସ୍ୟ ପଦକ ଥିଲା । ତେଣୁ ଭାରତ ଲଣ୍ଡନ ଅଲିମ୍ପିକ୍ସର ରେକର୍ଡ ଭାଙ୍ଗିବାର ଆଶା ରହିଛି । ଏଥିପାଇଁ ଭାରତକୁ ଅବଶିଷ୍ଟ ମ୍ୟାଚରେ ଜିତିବାକୁ ପଡିବ । ଆସନ୍ତୁ ଜାଣିବା ସେହି ପ୍ରମୁଖ ଖେଳ ବିଷୟରେ ଯେଉଁଥିରେ ଭାରତ ପଦକ ଜିତିପାରେ ।

୧ – ହକି

ଏଥର ଭାରତର ମହିଳା ଓ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ହେଲେ ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ବେଲଜିୟମ ହାତରୁ ପରାସ୍ତ ହୋଇଛନ୍ତି । ଏବେ ଦଳକୁ କାଂସ୍ୟ ପଦକ ପାଇଁ ଲଢିବାକୁ ପଡିବ । ସେପଟେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ସହ ସେମି ଫାଇନାଲ ମ୍ୟାଚ ଖେଳୁଛି ।

୨ – ବକ୍ସିଂ

ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଲଭଲିନା ବୋରଗୋହେନ ୬୯ କିଗ୍ରା ବର୍ଗରେ ସେମି ଫାଇନାଲରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ସେ ଭାରତକୁ ତୃତୀୟ ପଦକ ଦେଇଛନ୍ତି ।

୩ – କୁସ୍ତି, ଦୁଇରୁ ତିନି ପଦକ ଆଶା

କୁସ୍ତି ମୁକାବିଲା ଆରମ୍ଭ ହୋଇ ସାରିଛି । ଏଥିରେ ରବି କୁମାର ଦାହିଆ, ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ଭିନେଶ ଫୋଗାଟ ଭାରତ ପକ୍ଷରୁ ପଦକର ଦାବିଦାର ଅଛନ୍ତି । ରବି ଦାହିଆ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ସୁନିଶ୍ଚିତ କରି ସାରିଛନ୍ତି । ସେପଟେ ଦୀପକ ପୁନିଆ ସେମିରେ ହାରି ଏବେ କାଂସ୍ୟ ପଦକ ପାଇଁ ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ । ବଜରଙ୍ଗ ଓ ଭିନେଶଙ୍କ ମୁକାବିଲା ଏବେ ବାକି ରହିଛି । ଗତ କିଛି ବର୍ଷରେ କୁସ୍ତିରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଏଥର ମଧ୍ୟ ପହିଲମାନଙ୍କଠୁ ଦେଶର ବହୁତ ଆଶା ରହିଛି । ଭାରତ ଏହି ବର୍ଗରେ ଦୁଇରୁ ତିନି ପଦକ ଜିତିବାର ଆଶା ରହିଛି ।

୪ – ଆଥଲେଟିକ୍ସ

ଭାରତକୁ ଆଉ ଏକ ପଦକ ଆଶା ଜାଭେଲିନ ଥ୍ରୋରୁ ରହିଛି । ନୀରଜ ଚୋପ୍ରା ଭାରତ ପକ୍ଷରୁ ନିଜର ଅଭିଯାନ ଆରମ୍ଭ କରି ନିଜ ଗ୍ରୁପରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ୨୦୧୮ ଏସୀୟ କ୍ରୀଡାର ଚାମ୍ପିଅନ ନୀରଜ ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡର ଶୀର୍ଷରେ ଅଛନ୍ତି । ଫାଇନାଲ ମୁକାବିଲା ଅଗଷ୍ଟ ୭ରେ ଖେଳାଯିବ ।

ମୋଟ୍ ୯ ପଦକ ଜିତିପାରେ ଭାରତ

ଏହି ପରି ଭାରତ ଏଥର ମୋଟ୍ ନଅଟି ପଦକ ଜିିତିପାରେ । ବର୍ତ୍ତମାନ ଯାଏଁ ମୀରାବାଈ ଚାନୁ ରୌପ୍ୟ, ପିଭି ସିନ୍ଧୁ ଓ ଲଭଲିନା କାଂସ୍ୟ ଜିତି ଭାରତକୁ ୩ଟି ପଦକ ଦେଇଛନ୍ତି । କୁସ୍ତିରେ ରବି କୁମାର ଦାହିଆ ରୌପ୍ୟ ପଦକ ସୁନିଶ୍ଚିତ କରି ସାରିଛନ୍ତି । ଏହି ପରି ଭାରତ ଖାତାକୁ ୪ ପଦକ ଆସି ସାରିଛି । ଏହା ପରେ ଯଦି ପୁରୁଷ ହକି, ମହିଳା ହକି ଦଳ, କୁସ୍ତି ଓ ଜାଭଲିନ ଥ୍ରୋରେ ଭାରତୀୟ ଖେଳାଳି ଆଶା ଅନୁରୂପ ପ୍ରଦର୍ଶନ କଲେ ଭାରତ ନାମରେ ମୋଟ୍ ୮ରୁ ୯ ପଦକ ହୋଇପାରେ । ଏଥିରେ କୁସ୍ତି ଓ ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିପାରେ ।

Get real time updates directly on you device, subscribe now.