ଚୀନର ଡବଲ ଗେମ୍ ! ପ୍ରଥମେ ପାକିସ୍ତାନକୁ କଲା ସମର୍ଥନ, ଏବେ ଶାନ୍ତିର ନାଟକ; ଜାଣନ୍ତୁ କ’ଣ କହିଲା ଡ୍ରାଗନ?

ନୂଆଦିଲ୍ଲୀ/ବେଜିଂ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସୀଜଫାୟାର ଘୋଷଣା ପରେ ଚୀନର ଦ୍ୱିମୁଖୀ ନୀତି ସାମ୍ନାକୁ ଆସିଛି। ଗୋଟିଏ ପଟେ ଚୀନ ପାକିସ୍ତାନକୁ ‘ବନ୍ଧୁ’ କହି ତା’ର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପାଇଁ ସମର୍ଥନ ଜାରି ରଖିଛି, ଅନ୍ୟପଟେ ସୀଜଫାୟାରକୁ ସମର୍ଥନ କରି ଶାନ୍ତିର ନାଟକ ରଚୁଛି। ଏହି ଦୁଇମୁଖୀ ଆଭିମୁଖ୍ୟ ନେଇ ଅନେକ ପ୍ରଶ୍ନ ଉଠିଛି।

ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଯୀ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ସହ ଟେଲିଫୋନିକ କଥାବାର୍ତ୍ତାରେ କହିଛନ୍ତି ଯେ, ଚୀନ ପାକିସ୍ତାନର ‘ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଓ ଜାତୀୟ ସ୍ୱାଧୀନତା’ ରକ୍ଷା ପାଇଁ ଦୃଢ଼ ଭାବେ ପାକିସ୍ତାନ ସହ ଛିଡ଼ା ହେବ। ସେ ପାକିସ୍ତାନକୁ ‘ଅଟଳ ବନ୍ଧୁ’ ଓ ‘ସର୍ବକାଳୀନ ରଣନୀତିକ ସହଯୋଗୀ’ ବୋଲି ବର୍ଣ୍ଣନା କରିଛନ୍ତି।

ଅନ୍ୟପଟେ, ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ କଥାବାର୍ତ୍ତାରେ ଓ୍ୱାଙ୍ଗ ଯୀ ଶାନ୍ତି ଓ ସ୍ଥିରତାର କଥା ଉଠାଇଛନ୍ତି। ସେ କହିଛନ୍ତି, “ଭାରତ ଓ ପାକିସ୍ତାନ ଚୀନର ପଡ଼ୋଶୀ। ଏସିଆରେ ଶାନ୍ତି ଓ ସ୍ଥିରତା କଷ୍ଟସାଧ୍ୟ ଓ ଏହାକୁ ମହତ୍ତ୍ୱ ଦେବା ଉଚିତ। ଉଭୟ ଦେଶ ଶାନ୍ତ ରହି ଆଲୋଚନା ଓ ପରାମର୍ଶ ମାଧ୍ୟମରେ ନିଜ ମତଭେଦ ଦୂର କରିବା ଉଚିତ।” ସେ ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିବା ସହ ସୀଜଫାୟାରକୁ ସମର୍ଥନ କରିବାକୁ ଚୀନ ପ୍ରସ୍ତୁତ ବୋଲି କହିଛନ୍ତି।

ତେବେ, ଚୀନର ଏହି ଦୁଇମୁଖୀ ନୀତି ନେଇ ଅନେକେ ସନ୍ଦେହ ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୀଜଫାୟାର ଘୋଷଣାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ସୀମାରେ ଡ୍ରୋନ ପଠାଇ ଓ ଗୁଳିଚାଳନା କରି ସୀଜଫାୟାର ଉଲ୍ଲଙ୍ଘନ କରିଥିଲା। ଏହା ପରେ ମଧ୍ୟ ଚୀନ ପାକିସ୍ତାନର ‘ସଂଯମ’ ଓ ‘ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟ’ର ପ୍ରଶଂସା କରିବା ତା’ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି।

ଚୀନ ଦୀର୍ଘ ଦିନ ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି। ସମ୍ପ୍ରତି ପାକିସ୍ତାନ ଚୀନର ଜେ-୧୦ସି ‘ଭିଗରସ ଡ୍ରାଗନ’ ଯୁଦ୍ଧବିମାନ ବ୍ୟବହାର କରି ଭାରତୀୟ ଯୁଦ୍ଧବିମାନକୁ ଆକ୍ରମଣ କରିଥିଲା। ଏହା ଚୀନର ପରୋକ୍ଷ ସମର୍ଥନକୁ ସୂଚାଇଛି।