ଭାରତ-ପାକିସ୍ତାନ ଖେଳାଳି ଏକାଠି ଖେଳିବେ! ରୋହିତ-ବିରାଟ, ବାବର-ରିଜୱାନ… ଏହି ଟୁର୍ଣ୍ଣାମେଣ୍ଟରେ ହେବ ମହାମିଳନ? 

ଓଡ଼ିଶା ଭାସ୍କର: ଆଇସିସିର ବିଭିନ୍ନ ଇଭେଣ୍ଟରେ ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବାକୁ ମିଳେ । ଉଭୟ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ବନ୍ଦ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖାଯାଏ । ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ପାକିସ୍ତାନର ବାବର ଆଜମ ଏବଂ ମହମ୍ମଦ ରିଜୱାନ ଏହି ମ୍ୟାଚରେ ପରସ୍ପର ବିପକ୍ଷରେ ମଇଦାନକୁ ଓହ୍ଲାଇଥାନ୍ତି । କିନ୍ତୁ ଏବେ ଉଭୟ ଦେଶର ଖେଳାଳିଙ୍କୂ ଏକାଠି ଖେଳିବାର ମିଳିବ ସୁଯୋଗ । ଗୋଟିଏ ଦଳରୁ ରୋହିତ, ବିରାଟ, ବାବର ଏବଂ ରିଜୱାନ ମ୍ୟାଚ ଖେଳିପାରନ୍ତି । ଏହାକୁ ସମ୍ଭବ କରିବା ପାଇଁ ଖୁବଶୀଘ୍ର ଏକ ଟୁର୍ଣ୍ଣାମେଣ୍ଟ କମବ୍ୟାକ କରିପାରେ ବୋଲି ଆଶା କରାଯାଉଛି ।

ପ୍ରାୟ ୨ ଦଶନ୍ଧି ପରେ ପୁଣିଥରେ କ୍ରିକେଟ ଜଗତକୁ ଆଫ୍ରୋ-ଏସିଆ କପ୍ ଖେଳାଯିବା ନେଇ ଯୋଜନା କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ-୧୧ ଏବଂ ଆଫ୍ରିକା-୧୧ ମଧ୍ୟରେ ସୀମିତ ଓଭର କ୍ରିକେଟ ଅନୁଷ୍ଠିତ ହେବ । ଏ ନେଇ ତରଫରୁ ବାର୍ଷିକ କନଫରେନ୍ସରେ ଆଲୋଚନା କରିଛି ଆଫ୍ରିକା କ୍ରିକେଟ । ଏହାସହିତ ୬ ଜଣ ସଦସ୍ୟଙ୍କୁ ନେଇ ଏକ ଅନ୍ତରୀଣ ସମିତି ମଧ୍ୟ ଗଠନ କରାଯାଇଛି । ଏସିଏକୁ ମଜବୁତ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଆଫ୍ରିକା ଖେଳାଳିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହାର ଆୟୋଜନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଲେ, ଭାରତ ଏବଂ ପାକିସ୍ତାନ ଦଳର କ୍ରିକେଟର ଏକା ସାଙ୍ଗରେ ଆଫ୍ରିକାର ଖେଳାଳି ମାନଙ୍କ ବିପକ୍ଷରେ ମ୍ୟାଚ୍ ଖେଳିପାରନ୍ତି ।

ଏହି ଆଫ୍ରୋ ଏସିଆ କପ୍ ୨୦୦୫ ମସିହାରେ ଦକ୍ଷିଣ ଆଫ୍ରିକା ଏବଂ ୨୦୦୭ରେ ଭାରତରେ ଆୟୋଜିତ ହୋଇଥିଲା । ୨୦୦୫ ମସିହାରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବାକୁ ଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା । ତେବେ ବାକି ୨ଟି ମ୍ୟାଚ ୧-୧ରେ ବରାବର ରହିଥିଲା । ସେହିପରି ୨୦୦୭ ମସିହାରେ ଏସିଆ-୧୧ ୩ଟି ଯାକ ମ୍ୟାଚରେ ବିଜୟୀ ହୋଇ ସିରିଜ ନିଜ ନାମରେ କରିଥିଲେ । ଏହାପରେ ୨୦୦୯ ମସିହାରେ ଏହାର ଆୟୋଜନ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନଥିଲା । ବର୍ତ୍ତମାନ ପୁଣିଥରେ ଏହାକୁ ଆୟୋଜନ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।