fbpx

ଟି-୨୦ ଫାଇନାଲରେ ଭାରତ: ରୌପ୍ୟ ପଦକ ସୁନିଶ୍ଚିତ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୬ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଥିଲା । ଆଜି ଭାରତୀୟ କ୍ରୀଡ଼ାବିତମାନେ ବିଭିନ୍ନ ବିଭାଗରେ ଦେଶ ପାଇଁ ପଦକ ଜିତିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ଭାରତୀୟ ଦଳ ଟି-୨୦ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରତିପକ୍ଷ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରିଛି । ବାଂଲାଦେଶର ୱିକେଟ ରକ୍ଷକ ଜାକର ଅଲୀ ସର୍ବାଧିକ ୨୪ ରନ୍ ସଂଗ୍ରହ କରିଥିଲେ । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପିପାରିନଥିଲେ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ୱାଶିଂଟନ ସୁନ୍ଦର ୨ଟି ୱିକେଟ ନେଇଥିଲେ ।

ଜବାବରେ ଭାରତ ମାତ୍ର ୯.୨ ଓଭରରେ ଯଶସ୍ୱୀ ଜୈସୱାଲଙ୍କ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ଅଧିନାୟକ ଋତୁରାଜ ଗାଏକ୍ୱାଡ ୪୦ ରନ ଓ ତିଲକ ବର୍ମା ୫୫ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶର ରିପନ ମୋଣ୍ଡୋଲ ୧ଟି ୱିକେଟ ନେଇଥିଲେ । ଆଜିର ବିଜୟ ଫଳରେ ଭାରତ ଫାଇନାଲରେ ପହଞ୍ଚିଥିବା ବେଳେ ସ୍ୱର୍ଣ୍ଣ ପଦକ ଜିତିବା ଆଶା ଉଜ୍ଜୀବିତ କରିଛି ।

Get real time updates directly on you device, subscribe now.