fbpx

୮୭ତମ ପଦକ ଜିତିଲା ଭାରତ: ଆର୍ଚେରୀରେ ମହିଳା ରିକର୍ଭ ଟିମକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୬ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଥିଲା । ଆଜି ଭାରତୀୟ କ୍ରୀଡ଼ାବିତମାନେ ବିଭିନ୍ନ ବିଭାଗରେ ଦେଶ ପାଇଁ ପଦକ ଜିତିବାର ସମ୍ଭାବନା ରହିଛି ।

ଆଜିର ତ୍ରୟୋଦଶ ଦିବସରେ ଭାରତ ବ୍ରୋଞ୍ଜରୁ ତା’ର ପଦକ ବିଜୟ ଆରମ୍ଭ କରିଛି । ଫଳରେ ଭାରତର ପଦକ ସଂଖ୍ୟା ୮୭ରେ ପହଞ୍ଚିଛି । ଆର୍ଚେରୀରେ ମହିଳା ରିକର୍ଭ ଟିମ ଭିଏତନାମକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଅଙ୍କିତା ଭକତ, ଭଜନ କୌର ଓ ସିମ୍ରନଜିତ କୌରଙ୍କୁ ନେଇ ଗଠିତ ମହିଳା ଟିମ୍ ଦେଶ ପାଇଁ ପଦକ ଜିତିଛନ୍ତି ।

ଏହା ପୂର୍ବରୁ ଆଜି ଭାରତ କବାଡ଼ି ସେମିଫାଇନାଲରେ ନେପାଳକୁ ୬୧-୧୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏହି ବିଜୟ ଫଳରେ ଭାରତୀୟ ମହିଳା ଟିମ୍ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲା । ସେହିପରି ଟି-୨୦ କ୍ରିକେଟରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏହା ସଫଳତା ଭାରତର ରୌପ୍ୟ ପଦକ ଜିତିବା ଆଶା ସୁନିଶ୍ଚିତ ହୋଇଯାଇଛି ।

Get real time updates directly on you device, subscribe now.