fbpx

ଆଜିଠୁ ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆ ପାଇଁ ନୂଆ ବର୍ଷରେ ନୂଆ ଆହ୍ୱାନ, ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ସ୍ଥାନୀୟ ୱଣ୍ଡର୍ସ ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଚଳିତ ବର୍ଷ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଟେଷ୍ଟ ମୁକାବିଳା । ଗତବର୍ଷ ଶେଷ ଭାଗରେ ଭାରତୀୟ ଦଳ ପ୍ରଥମ ଏସୀୟ ଦେଶ ଭାବେ ସେସେଞ୍ଚୁରିୟନ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରି ଐତିହାସିକ ସଫଳତା ପାଇଥିଲା । ସେହିପରି ଚଳିତ ବର୍ଷ ପ୍ରାରମ୍ଭରେ ଟିମ ଇଣ୍ଡିଆ ବିଜୟରୁ ଅଭିଯାନ କରିବା ବଡ ଆହ୍ୱାନ । ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ଅଗ୍ରଣୀ ହାସଲ କରିଛି । ପରବର୍ତ୍ତୀ ଦୁଇ ଟେଷ୍ଟରୁ ଆଉ ଗୋଟିଏ ମ୍ୟାଚ ଜିତି ପାରିଲେ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ହାସଲ କରିବ ଐତିହାସିକ ସିରିଜ ବିଜୟ ।

ଅବଶ୍ୟ ଏହି ଗ୍ରାଉଣ୍ଡରେ ଭାରତ ପାଇଁ ବଡ ସୁଯୋଗ ରହିଛି । କାରଣ ଏହା ହେଉଛି ଭାରତ ପାଇଁ ସବୁଠାରୁ ପ୍ରିୟ ତଥା ଭାଗ୍ୟବାନ ଗ୍ରାଉଣ୍ଡ । କାରଣ ଏହି ପିଚରେ ଭାରତ ପୂର୍ବରୁ ଅନେକ ଇତିହାସ ରଚିଛି । ଅନ୍ୟ ପକ୍ଷରେ ଏହି ଗ୍ରାଉଣ୍ଡ ଭାରତୀୟ ଦଳ ପାଇଁ ‘ହୋମ ଆୱେ ଫ୍ରମ ହୋମ’ ଭାବେ ପରିଚିତ । ତେଣୁ ପୁଣିଥରେ ଭାଗ୍ୟବାନ ସାବ୍ୟସ୍ତ ହେଲେ ଭାରତ ଏକ ଐତିହାସିକ ମୁହୂର୍ତ୍ତ ଉପଭୋଗ କରିବା ସୁଯୋଗ ପାଇବ । ସେହିପରି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଓ କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହା ମଧ୍ୟ ଅନ୍ୟତମ ପସନ୍ଦ ଯୋଗ୍ୟ ଗ୍ରାଉଣ୍ଡ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପିଚ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ ।

ଚଳିତ ବର୍ଷ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ପିଚରେ ଅନୁରୂପ ସଫଳତା ପାଇବା ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପ୍ରଥମ ଟେଷ୍ଟରେ ପରାଜିତ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ପୁଣି ଦୃଢ଼ ମନୋବଳ ନେଇ ଦ୍ୱିତୀୟ ଟେଷ୍ଟରେ ଲଢ଼େଇ କରିବା ପାଇଁ ମାନସିକ ପ୍ରସ୍ତୁତି ମଧ୍ୟରେ ରହିଛି । ତେଣୁ ଭାରତୀୟ ଦଳ ସେହି ଅନୁଯାୟୀ ଗେମ୍‌ ପ୍ଳାନ କରିବା ଦରକାର । ସେହିପରି ପ୍ରଥମ ଟେଷ୍ଟ ବିଜୟ ନେଇ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହେୟଜ୍ଞାନ ମନେ କଲେ ମହଙ୍ଗା ସାବ୍ୟସ୍ତ ହୋଇ ଯିବ । ତେଣୁ ପ୍ରଥମ ଟେଷ୍ଟ ସଫଳତା ଦୋହରାଇବା ଲକ୍ଷ୍ୟ ନେଇ ଖେଳିବା ଉଚିତ ।

Get real time updates directly on you device, subscribe now.