fbpx

ଆସନ୍ତା ୪ ବର୍ଷରେ ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି: IMF ମୁଖ୍ୟ ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରି ଭାରତ ବିଶ୍ୱରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିଛି । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ତେବେ ଏହି ସମ୍ମିଳନୀ ଅବସରରେ ଭାରତକୁ ଶିକ୍ଷା, ବୈଦେଶିକ ନୀତି, ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଚୁର ଫାଇଦା ମିଳିବ । ବିଭିନ୍ନ ଦେଶ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଓ ବାଣିଜ୍ୟ କାରବାର ଆହୁରି ନିବିଡ଼ ହୋଇ ପାରିବ । ଫଳରେ ଆଗାମୀ ଦିନରେ ଭାରତର ଅର୍ଥନୀତି ଅଧିକ ସୁଦୃଢ଼ ହୋଇ ପାରିବ ।

ତେବେ ଏହା ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ୪ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହେବ ବୋଲି ଶ୍ରୀମତୀ ଗୋପୀନାଥ କହିଛନ୍ତି । ୨୦୨୭-୨୮ ସୁଦ୍ଧା ଭାରତ ଏହି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ । ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଅବଦାନ ଏବେ ୧୫ ପ୍ରତିଶତ ରହିଥିବା ବେଳେ ତାହା ଆଗାମୀ ଦିନରେ ଅର୍ଥନୀତିକୁ ଆହୁରି ଆଗକୁ ନେଇଯିବ ।

ଦିନକୁ ଦିନ ଭାରତ ଅଭିବୃଦ୍ଧି ଆଡ଼କୁ ମାଡ଼ି ଚାଲିଥିବା ବେଳେ ଭାରତ ଉପରେ ବିଶ୍ୱର ବଡ଼ ବଡ଼ ଦେଶର ନିବେଶକଙ୍କର ନଜର ରହିଛି । ପୂର୍ବାପେକ୍ଷା ଭାରତରେ ନିବେଶ କରିବାକୁ ଏବେ ନିବେଶକମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଭାରତର ଅର୍ଥନୀତିକୁ ନେଇ ପୂର୍ବରୁ ଆଇଏମଏଫ ଓ ବିଶ୍ୱବ୍ୟାଙ୍କ ମଧ୍ୟ ନିଜର ମତାମତ ଦେଇଦେଇଥିଲେ । ୨୦୨୯ ସୁଦ୍ଧା ଭାରତ ତୃତୀୟ ଅର୍ଥନୀତିରେ ପରିଣତ ହେବ ବୋଲି ପୂର୍ବରୁ ଏସବିଆଇର ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଥିଲେ । ତେବେ ୨୦୨୭-୨୮ ସୁଦ୍ଧା ଭାରତ ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି ଗତ ଜୁଲାଇରେ ଏସବିଆଇ ରିପୋର୍ଟରେ କୁହାଯାଇଥିଲା ।

Get real time updates directly on you device, subscribe now.