fbpx

ଟି-୨୦ ବିଶ୍ୱ କପ୍ : ଆଜି ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ହାର୍ଦ୍ଦିକଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ପ୍ରଥମ ରାଉଣ୍ଡ ମୁକାବିଲା ଖେଳାଯାଉଛି । ଏହା ପରେ ଆରମ୍ଭ ହେବ ସୁପର ୧୨ର ରୋମାଞ୍ଚ । ସୋମବାର ସୁପର ୧୨ ଦଳଗୁଡିକ ମଧ୍ୟରେ ଖେଳାଯିବ ୱାର୍ମ ଅପ୍ ମ୍ୟାଚ୍ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ନିଜର ପ୍ରଥମ ୱାର୍ମ ଅପ୍ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ଅନ୍ୟପଟେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅପରାହ୍ନ ୩ଟା ୩୦ରେ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ । ସେହି ପରି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ ।
ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିବା ବିଶ୍ୱ କପର ପ୍ରଥମ ରାଉଣ୍ଡ ମ୍ୟାଚ୍ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅକ୍ଟୋବର ୨୩ରୁ ସୁପର ୧୨ ମ୍ୟାଚ୍ ଖେଳାଯିବ । ସୁପର ୧୨ର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେହି ଦିନ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଉ ଏକ ମ୍ୟାଚ୍ ଖେଳାଯିବ । ଏହା ପରେ ଅକ୍ଟୋବର ୨୪ରେ ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଆୟୋଜିତ ହେବ ।

ଆଜିର ୱାର୍ମ ଅପ୍ ମ୍ୟାଚରେ ସଭିଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିବ । ସେ ବୋଲିଂ କରିବେ କି ନାହିଁ ତାହା ଦେଖିବା ବାକି ରହିଲା । କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫର୍ମ ଏବଂ ଫିଟନେସ୍ ଭାରତ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ଯଦି ସେ ବୋଲିଂ ନକରନ୍ତି ତେବେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ମୁସ୍କିଲ ହୋଇପାରେ । ଅନ୍ୟପଟେ ଭାରତ ଓପନିଂରେ କିଛି ପ୍ରୟୋଗ କରିପାରେ । ରୋହିତ ଶର୍ମାଙ୍କ ସହିତ କିଏ ଓପନିଂ କରିବ ତାର ଝଲକ ଆଜିର ୱାର୍ମ ଅପ୍ ମ୍ୟାଚରେ ଦେଖିବାକୁ ମିଳିପାରେ ।

ରୋହିତଙ୍କ ସହ ଓପନିଂ ପାଇଁ ବିକଳ୍ପ ଖେଳାଳି ହେଉଛନ୍ତି ଅଧିନାୟକ ବିରାଟ କୋହଲି, ଦମଦାର ଫର୍ମରେ ଥିବା କେଏଲ ରାହୁଲ ଓ ଇଶାନ କିଶନ । ବିରାଟ କୋହଲି ପ୍ରଥମରୁ କହି ସାରିଛନ୍ତି ଯେ, ସେ ଟି-୨୦ରେ ଦଳ ପକ୍ଷରୁ ଓପନିଂ କରିବାକୁ ଚାହିଁବେ । ହେଲେ ଆଇପିଏଲ ୨୦୨୧ରେ ଲୋକେଶ ରାହୁଲ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେଥିରେ ତାଙ୍କର ରୋହିତଙ୍କ ସହିତ ଓପନିଂ କରିବାର ସମ୍ଭାବନା ଅଧିକ ରହିଛି । ପୁଣି ବୋଲିଂରେ ଭାରତ ଜାଡେଜା-ଅଶ୍ୱିନ ଯୋଡି କିମ୍ବା ରାହୁଲ ଚହର-ବରୁଣ ଚକ୍ରବର୍ତ୍ତୀ ଯୋଡିକୁ ନେଇ ୱାର୍ମ ଅପ୍ ମ୍ୟାଚରେ କିଛି ପରୀକ୍ଷା ନୀରିକ୍ଷା କରିପାରେ ।

Get real time updates directly on you device, subscribe now.