fbpx

୪୧ ବର୍ଷ ପରେ ସେମି ଫାଇନାଲ ଆଶାରେ ଭାରତ

ନୂଆଦିଲ୍ଳୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ମାନେ ଅଦ୍ୟାବଧି ଦୁଇଟି ପଦକ ନିଶ୍ଚିତ କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ମହିଳା ହକି ଦଳ ଆୟାର୍ଲାଣ୍ଡର ପରାଜୟ କାରଣରୁ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଭାରତୀୟ ପୁରୁଷ ଦଳ କିନ୍ତୁ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ବିଗତ ୪୧ ବର୍ଷ ଧରି ଏହା ସେମିରେ ପ୍ରବେଶ କରିପାରି ନାହିଁ । ୧୯୮୦ରେ ଶେଷ ଥର ପାଇଁ ପୁରୁଷ ଦଳ ପଦକ ବିଜୟୀ ହୋଇଥିବା ବେଳେ ୧୯୮୪ରେ ଏହା ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।

୧୯୮୪ ପରଠାରୁ ଭାରତୀୟ ହକି ଦଳ ପଦକ ହାସଲ ତ ଦୂରର କଥା ପୁରୁଷ ହକିର ସେମିରେ ପ୍ରବେଶ କରିନାହିଁ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ଦଳ ଯୋଗ୍ୟତା ଅର୍ଜନ କରିପାରି ନଥିବା ବେଳେ ୨୦୧୬ ରିଓ ଅଲିମ୍ପିକ୍ସରେ ଏହା ଅନ୍ତିମ ସ୍ଥାନରେ ରହିଥିଲା । ତେବେ ବିଗତ ୫ ବର୍ଷ ମଧ୍ୟରେ ଭାରତୀୟ ହକିରେ ବେଶ ପରିବର୍ତ୍ତନ ଆସିଛି । ଏପରିକି ଚଳିତ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଦଳ ବଢିଆ ଫର୍ମରେ ନଜର ଆସିଛି । କେବଳ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟକୁ ଛାଡିଲେ ଦଳର ପ୍ରଦର୍ଶନ ଚମକ୍ରାର ରହିଛି । ମନଦୀପ୍ଙ୍କ ପ୍ରଦର୍ଶନ ଧୀମା ରହିଥିଲେ ହେଁ ସିମରନଜିତ ସିଂ ଓ ଗୁରଜାଣ୍ଟ ସିଂ ଚମକ୍ରାର ଆଟାକ କରୁଛନ୍ତି । ମିଡଫିଲ୍ଡରେ ଅଧିନାୟକ ମନପ୍ରୀତ ସିଂ ଓ ନୀଳକଣ୍ଠ ଶର୍ମାଙ୍କ ଯୋଡି ମଧ୍ୟ ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଏସବୁ ପରସ୍ଥିତିକୁ ଦେଖିଲେ ରବିବାର ବ୍ରିଟେନ ବିପକ୍ଷ ମ୍ୟାଚରେ ଭାରତ ହିଁ ଫେବରିଟ୍ ରହିବ । ସେହିପରି ଡିଫେନ୍ସରେ ଦଳ ରୂପିନ୍ଦର ପାଲ ସିଂ, ହରମନପ୍ରୀତ ସିଂ, ଅମିତ ରୋହିଦାସ ଓ ବରୁଣ କୁମାରଙ୍କ ଠାରୁ ଆଉ ଏକ ମ୍ୟାଚ ବିଜୟୀ ପ୍ରଦର୍ଶନ ଆଶା କରିବ । ଭେଟେରାନ ପି ଆର ଶ୍ରୀଜେସଙ୍କ ନିକଟରୁ ମଧ୍ୟ ଦଳ ସମାନ ପ୍ରଦର୍ଶନ ଆଶାରେ ରହିବ । ରବିବାର ଭାରତୀୟ ସମୟ ଅପରାହ୍ନ ୫.୩୦ରେ ବ୍ରିଟେନ ବିପକ୍ଷରେ ଭାରତ ଏହି ମ୍ୟାଚ୍ ଖେଳିବ ।

Get real time updates directly on you device, subscribe now.