fbpx

ଦବିବାରେ ଲାଗିଛି ବିଶ୍ୱର ସବୁଠାରୁ ଧନୀ ସହର ନ୍ୟୁୟର୍କ, ନାସା କହିଲା ୩ ଟି ବଡ କାରଣ

ନୂଆଦିଲ୍ଲୀ: ଏବେ ଲଗାତର ଦବିବାରେ ଲାଗିଛି ନ୍ୟୁୟର୍କ ସହର । ଏହିଧାରା ଯଦି ଲାଗି ରହିବ ତେବେ ବିଶ୍ୱର ଏହି ଧନୀ ସହର ଦିନେ ପାତାଳଗାମୀ ହୋଇଯିବ । ଆମେରିକା ମହାକାଶ ସଂସ୍ଥା ନାସାର ଜେଟ୍ ପ୍ରପଲସନ ଲାବୋରେଟୋରୀ( ଜେପିଏଲ୍‌)ର ଅଧ୍ୟୟନରୁ ଏହି କଥା ଜଣାପଡିଛି । ଏହା ପଛରେ ନାସା ଅନେକ କାରଣ ଦର୍ଶାଇଛି । ପ୍ରଥମ ହେଉଛି ଟେକ୍ଟୋନିକ ପ୍ଲେଟ୍ ଦବିବା, ଦ୍ୱିତୀୟ ସହରର ଭୂପୃଷ୍ଠ ଉପରେ ପଡୁଥିବା ଓଜନ । ତୃତୀୟ ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ପରିବର୍ତ୍ତନ ।

ନାସାର ଜେପିଏଲ୍ କହିଛି ଆପଣଙ୍କୁ ଆପଣଙ୍କ ପାଦ ତଳେ ଥିବା ମାଟି ସ୍ଥିର ଥିବାର ଲାଗୁଥାଇପାରେ, କିନ୍ତୁ ବାସ୍ତବ ସ୍ଥିତି ଏହା ନ ଥାଏ । ଭୂପୃଷ୍ଠ ହଲୁଥିବ କିମ୍ବା ଦବୁଥିବ ଯାହା ଆପଣ ଜାଣିପାରିବେ ନାହିଁ । କାରଣ ଏହା ଏତେ ଧୀର ଗତିରେ ହୋଇଥାଏ ଯାହା ଅନୁଭବ କରିହୁଏ ନାହିଁ । ଜେପିଏଲ୍‌ର ଅଧ୍ୟୟନରୁ ଜଣାପଡିଛି ୨୦୧୬ରୁ ୨୦୨୩ ମଧ୍ୟରେ ନ୍ୟୁୟର୍କ ପ୍ରତିବର୍ଷ ୧.୬ ମିଲିମିଟର ହାରରେ ତଳକୁ ଦବୁଛି ।

ନାସା ଉପଗ୍ରହ ମାଧ୍ୟମରେ ନ୍ୟୁୟର୍କ ସହରର InSAR ଡାଟା ସଂଗ୍ରହ କରିଛି । ଏହାକୁ ନେଇ ନାସା ଥ୍ରୀଡି ନକ୍ସା ପ୍ରସ୍ତୁତ କରିଛି । ଅର୍ଥାତ୍ ସହରର ଭୂପୃଷ୍ଠ ତଳର ଥ୍ରୀଡି ନକ୍ସା ପ୍ରସ୍ତୁତ କରିଛି ନାସା । ଏଥିରୁ ଜଣାପଡିଛି ନ୍ୟୁୟର୍କ ସହରର ଏକ ବଡ ଭାଗ ପ୍ରତିବର୍ଷ ୧ କିମ୍ବା ୨ ମିଲିମିଟର ହାରରେ ତଳକୁ ଦବୁଛି । ତେବେ ନ୍ୟୁୟର୍କ ସହରରେ ଗଢି ଉଠିଥିବା ବଡ ବଡ କୋଠାବାଡି ହିଁ ଏହାର ଭୂଗୋଳ ବିଗାଡି ଦେବାର ମୁଖ୍ୟ କାରଣ ବୋଲି ନାସା କହିଛି ।

Get real time updates directly on you device, subscribe now.