fbpx

ଭାରତୀୟ ଛାତ୍ରଙ୍କୁ ପୁଣି ଥରେ ଆମେରିକାରେ ଆକ୍ରମଣ, ଆହତଙ୍କ ଅବସ୍ଥା ଗୁରୁତର

ୱାଶିଂଟନ: ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଛି । ତେବେ ଛାତ୍ର ଜଣଙ୍କର ବୟସ ୨୪ ହୋଇଥିବା ବେଳେ ତାଙ୍କ ନାମ ବରୁଣ ବୋଲି ସୂଚନା ମିଳିଛି । ଛାତ୍ରଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି ।

ଏନଡବ୍ଲୁଆଇୟୁ ଟାଇମ୍ସର ରିପୋର୍ଟ ଅନୁସାରେ, ଗତ ରବିବାର ଇଣ୍ଡିଆନା ଅନ୍ତର୍ଗତ ବାଲପରାଇସୋ ସହରରେ ଥିବା ଏକ ପବ୍ଲିକ ଜିମରେ ଆକ୍ରମଣକାରୀ ଜୋର୍ଡ଼ନ ଏଣ୍ଡ୍ରାଡ଼ ବରୁଣଙ୍କ କାନପାଟୀକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ତେବେ ଜୋର୍ଡ଼ାନଙ୍କୁ ସ୍ଥାନୀୟ ପୁଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଏବଂ ହତ୍ୟା ଉଦ୍ୟମ ପରି ସଙ୍ଗୀନ ଅଭିଯୋଗ ଲଗାଯାଇଛି ତାଙ୍କ ଉପରେ ।

ଅନ୍ୟପକ୍ଷରେ ପୁଲିସ ରିପୋର୍ଟରେ ଜୋର୍ଡ଼ାନ ବରୁଣଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ବରୁଣଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ପୁଲିସକୁ ବୟାନ ଦେଇଛନ୍ତି । ଆକ୍ରମଣ ପରେ ବରୁଣଙ୍କୁ ତୁରନ୍ତ ଫୋର୍ଟ ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି ।

ଆମେରିକାରେ ଦିନକୁ ଦିନ ହେଟ କ୍ରାଇମ ବଢ଼ୁଥିବା ଦେଖାଯାଇଛି । ବର୍ତ୍ତମାନ ସେଠାରେ ଏହି ସମସ୍ୟା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏପରି ଭାବେ ଗତ କିଛି ଦିନ ତଳେ ନିୟୁୟର୍କ ସହରରେ ଜଣେ ଭାରତୀୟ ବୟସ୍କଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା । ତେବେ ଭାରତୀୟଙ୍କୁ ଆମେରିକାରେ ହତ୍ୟାର ଏପରି ଅନେକ ଉଦାହରଣ ରହିଛି ।

Get real time updates directly on you device, subscribe now.