fbpx

ତାତିରୁ ମିଳୁନି ନିସ୍ତାର: ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗୀନ, ୩ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ତାତିରୁ ମିଳୁନି ନିସ୍ତାର । ପଶ୍ଚିମ ଓଡ଼ିଶା ଜଳୁଛି । ଉପକୂଳରେ ଗୁଳୁଗୁଳି ରାଜ କରୁଛି । ରାଜ୍ୟବାସୀ ଅତିଷ୍ଠ । ସକାଳ ୮ଟା ପରେ ସୂର୍ଯ୍ୟଙ୍କ ତେଜ ବାରିହୋଇ ପଡୁଛି । ଦେହରୁ ଗମ୍ଗମ୍ ଝାଳ ବୋହିଯାଉଛି । ଯଦିଓ ବହୁ ସମୟରେ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି, ତଥାପି ତାତିର ପ୍ରଭାବ ହ୍ରାସ ପାଉନାହିଁ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ତେଲେଙ୍ଗାନା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ ଜାରି ରହିଛି ।

ତେବେ ପଶ୍ଚିମ ଓଡ଼ିଶାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଗୁରୁବାର ରାଜ୍ୟର ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ରହିଥିବାବେଳେ ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି ।

ତା ତଳକୁ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୨.୬ ଡିଗ୍ରୀ ରହିଥିବାବେଳେ ହୀରାକୁଦରେ ୪୨.୬, ସୋନପୁରରେ ୪୨.୪, ବୌଦ୍ଧରେ ୪୨.୨, ରାଉରକେଲାରେ ୪୧.୨, ବରଗଡ଼, ଟିଟିଲାଗଡ଼, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଯାଜପୁରରେ ୪୦.୯, ତାଳଚେରରେ ୪୦.୮, ଭବାନୀପାଟଣା ଓ ଅନୁଗୋଳରେ ୪୦.୫, ସୁନ୍ଦରଗଡ଼ରେ ୪୦.୨, ନୂଆପଡ଼ାରେ ୪୦.୧ ଓ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.