fbpx

ଆଜି ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ

ନୂଆଦିଲ୍ଲୀ : ଆଜି ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ । ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ବାଳିକାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଦିଗରେ ସଚେତନ ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ସମ୍ମୁଖୀନ ହେଉଛନ୍ତି । ଚଳିତବର୍ଷ ଅନ୍ତର୍ଜାତୀୟ ବାଳିକା ଦିବସର ବାର୍ତ୍ତା ହେଉଛି ‘ଝିଅମାନଙ୍କର ଅଧିକାର ଲାଗି ନିବେଶ-ଆମ ନେତୃତ୍ୱ ଏବଂ ଆମ ହିତ’ । ୨୦୧୨ ମସିହାରୁ ଆଜିର ଦିନକୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବରେ ପାଳନ କରାଯାଉଛି ।

ତେବେ କନ୍ୟା ଭ୍ରୂଣ ହତ୍ୟା ରୋକିବା, ଲିଙ୍ଗଗତ ବୈଷମ୍ୟ ଦୂରେଇବା, ଶିଶୁ କନ୍ୟାଙ୍କ ଶିକ୍ଷା, ପୃଷ୍ଟି, ସ୍ୱାସ୍ଥ୍ୟ, ଆଇନଗତ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ବିରୋଧରେ ଦେଖା ଦେଉଥିବା ଲିଙ୍ଗଗତ ବୈଷମ୍ୟ, ହିଂସା, ବାଲ୍ୟ ବିବାହ ପ୍ରଥା ରୋକିବା ଆଦି ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖକୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଭାବେ ପାଳନ କରାଯାଉଛି ।

ବିଶ୍ୱରେ ଶିଶୁ କନ୍ୟାଙ୍କ ପ୍ରତି ଦେଖା ଦେଇଥିବା ଅନ୍ୟାୟ ଓ ଅତ୍ୟାଚାର ରୋକିବା ଉଦ୍ଦେଶ୍ୟରେ କେତେକ ସାମାଜିକ ସଂଗଠନ ଏବଂ ସଦସ୍ୟ ରାଷ୍ଟ୍ରଙ୍କ ପ୍ରସ୍ତାବକ୍ରମେ ୨୦୧୨ ଅକ୍ଟୋବର ୧୧ ତାରିଖରେ ମିଳିତ ଜାତିସଂଘ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା । ଏହି ଦିବସ ପାଳନ ଉପଲକ୍ଷେ ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଲିଙ୍ଗଗତ ବୈଷମ୍ୟ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ । କେବଳ ସରକାର ନୁହେଁ ଆମ ସମସ୍ତଙ୍କ ଭିତରେ କନ୍ୟା ଶିଶୁଟି ପ୍ରତି ଆନ୍ତରିକ ଭଲପାଇବା ସହ ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ନିଜ ନିଜର ଦାୟିତ୍ୱବୋଧତାର ଅଗ୍ରଗତି ଜରୁରୀ । ତାହାଲେ ଆଜି ଦିନଟିର ସାର୍ଥକତା ପ୍ରତିପାଦିତ ହୁଅନ୍ତା ।

Get real time updates directly on you device, subscribe now.