fbpx

୪ ଦିନରେ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ, ୫ ମାସରେ ସବୁଠାରୁ ବଡ କ୍ଷତି ସହିଲା ଭାରତୀୟ ସେୟାର ବଜାର

Advertisement

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ନିମ୍ନମୁଖି ରହିଛି। ଯାହାଫଳରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। କେବଳ ବୁଧବାର ନିବେଶକମାନେ ୩.୮୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିଭଳି ଗତ ଚାରି ଦିନ ମଧ୍ୟରେ ନିବେଶକମାନେ ୬.୯୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବୁଧବାର ମେଟାଲ,ଏନର୍ଜି ଏବଂ ବ୍ୟାଙ୍କିଙ୍ଗ୍ ସେୟାର ମୂଲ୍ୟ ଭାରି ମାତ୍ରାରେ ହ୍ରାସ ପାଇଛି। ସେନସେକ୍ସ ଏବଂ ନିଫ୍ଟି ୫ ମାସ ମଧ୍ୟରେ ନିମ୍ନ ସ୍ତରରେ ରହିଥିଲେ।

ସମାନ ସମୟରେ ରିଅଲିଟି ଏବଂ ଅଟୋ କ୍ଷେତ୍ରରେ ମଧ୍ୟ ଚାପ ଦେଖିବାକୁ ମିଳିଛି। ମିଡକ୍ୟାପ୍ ଏବଂ ସ୍ମଲ୍‌କ୍ୟାପ୍ ହ୍ରାସ ସହିତ ବନ୍ଦ ହୋଇଥିଲା। ବଜାର ବନ୍ଦ ବେଳକୁ ସେନସେକ୍ସ ୯୨୭.୭୪ ଅଙ୍କ ଖସି ୧.୫୩ ପ୍ରତିଶତ ସହିତ ୫୯,୭୪୪.୯୮ ସ୍ତରରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମଧ୍ୟ ୨୭୨.୪୦ ଅଙ୍କ ଅର୍ଥାତ୍ ୧.୫୩ ପ୍ରତିଶତ ହ୍ରାସ ସହିତ ୧୭,୫୫୪.୩୦ରେ ବନ୍ଦ ହୋଇଥିଲା।

ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ତା ଆଶଙ୍କା ରହିଥିବା ବେଳେ ଦରବୃଦ୍ଧି କାରଣରୁ ଆଗାମୀ ତ୍ରୈମାସିକରେ ଭାରତର ଅବିବୃଦ୍ଧି ସେତେଟା ଭଲ ରହିନପାରେ। ନିମ୍ନଗାମୀ ରହିଥିବା ବିଶ୍ୱର ଅନେକ ଅର୍ଥନିତି ସହିତ ଭାରତ ଜଡ଼ିତ ଥିବାରୁ ଏହାର ବଜାର ଉପରେ ମଧ୍ୟ ପ୍ରଭାବ ରହିବ। ସେହିପରି ଦରବୃଦ୍ଧି କାରଣରୁ ରପ୍ତାନୀ ହ୍ରାସ ପାଇବ ଏବଂ ଏହାର ନକରାତ୍ମକ ପ୍ରଭାବ ଉତ୍ପାଦନ ଉପରେ ପଡ଼ିବ।

ତେବେ ଏହି ସମୟରେ କୃଷି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବ। କିନ୍ତୁ ଏହା ମଧ୍ୟ ଅବିବୃଦ୍ଧି ପାଇଁ ଯଥେଷ୍ଟ ହେବନାହିଁ। ଯାହା ଫଳରେ ତୃତୀୟ ତ୍ରୈମାସିକରେ ଭାରତର ଅବିବୃଦ୍ଧି ୪ରୁ୪.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି। ତେବେ ଫେବୃଆରୀ ୨୮ ରେ ଅକ୍ଟୋବର – ଡିସେମ୍ବର ୨୦୨୨ ଅବଧି ପାଇଁ ଭାରତ ତ୍ରୈମାସିକ ଜିଡିପି ଆକଳନ ରିଲିଜ କରିବାକୁ ଯାଉଛି। ଏହି ରିପୋର୍ଟ ଆସିବା ପରେ ଭାରତୀୟ ସେୟାର ବଜାରରେ ଉତ୍ସାହ ଆସିବା ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

Get real time updates directly on you device, subscribe now.