fbpx

ଏପ୍ରିଲ ୨ରୁ ଆଇପିଏଲ୍‌ର ୧୫ତମ ସଂସ୍କରଣ, ସାମିଲ ହେବେ ୨ ନୂଆ ଦଳ, ବଢ଼ିବ ମ୍ୟାଚ୍ ସଂଖ୍ୟା: ବିସିସିଆଇ

ନୂଆଦିଲ୍ଲୀ:କରୋନା ପରିସ୍ଥିତିରେ ସୁଧାର ଆସିଲେ ଆସନ୍ତା ବର୍ଷ ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଅନୁଷ୍ଠିତ ହେବ ବୋଲି ନିକଟରେ ବିସିସିଆଇ ସେକ୍ରେଟାରୀ ଜୟନ୍ତ ଶାହ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ଆଇପିଏଲରେ ଆଉ ଦୁଇ ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ଫ୍ରାଞ୍ଚାଇଜ ସାମିଲ ହେବେ । ତେଣୁ ଖେଳାଳି ଓ ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ବର୍ତ୍ତମାନ ଆଠ ଦଳକୁ ନେଇ ଆଇପିଏଲରେ ୬୦ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ଆଉ ଦୁଇ ଦଳ ସାମିଲ ହେଲେ ମ୍ୟାଚ ସଂଖ୍ୟା ୭୪କୁ ବୃଦ୍ଧି ପାଇବ ।

ଆସନ୍ତା ବର୍ଷର ଆଇପିଏଲ ପାଇଁ ଆଉ ଅଳ୍ପ ଦିନ ପରେ ଖେଳାଳି ନିଲାମ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଏପ୍ରିଲ ୨ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ପାରେ । ସେହିପରି ଜୁନ ୪ କିମ୍ବା ୫ ତାରିଖ ଦିନ ଫାଇନାଲ ଅନୁଷ୍ଠିତ ହେବ । ତେବେ ଏହି ସମ୍ଭାବ୍ୟ କାର୍ଯ୍ୟସୂଚୀ ଉପରେ ବିସିସିଆଇ ମୋହର ଲାଗିନି । ମାତ୍ର ଆସନ୍ତା ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀକୁ ଲକ୍ଷ୍ୟ କରି ଏହି ତାରିଖ ଧାର୍ଯ୍ୟ କରିବାକୁ ବିସିସିଆଇ ଆପାତଃ ବିଚାର ବିମର୍ଷ କରୁଛି ।

ସେହିପରି ଚେନ୍ନାଇରୁ ଆଇପିଏଲ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରା ଯାଇଛି । ପୁଣି ଥରେ ସୂଚାଇ ଦିଆ ଯାଇ ପାରେ ଯେ ଭାରତରେ କରୋନା ପ୍ରଭାବ ଯୋଗୁ ୨୦୨୦ ଆଇପିଏଲର ସମ୍ପୂର୍ଣ୍ଣ ପ୍ରତିଯୋଗିତା ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହୋଇଥିଲା । ସେହିପରି ଚଳିତ ବର୍ଷର ଆଇପିଏଲ ଭାରତରେ ଆରମ୍ଭ ହୋଇ ଥିଲେ ହେଁ କେତେକ ଫ୍ରାଞ୍ଚଇଜର କିଛି ସଂଖ୍ୟକ ଖେଳାଳି ହଠାତ କରୋନାରେ ଆକ୍ରାନ୍ତ ହେବା ପରେ ଏହା ସ୍ଥଗିତ ରଖା ଯାଇଥିଲା । ତେଣୁ ଅବଶିଷ୍ଟ ମ୍ୟାଚ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିଥିଲା ବିସିସିଆଇ । ତେବେ ଆସନ୍ତା ବର୍ଷ କରୋନା ପ୍ରଭାବ ହ୍ରାସ ପାଇ ଯାଇଥିବ ବୋଲି ଅନୁମାନ କରାଯାଉଛି । ତେଣୁ ଭାରତରେ ୨୦୨୨ ଆଇପିଏଲ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି ।

Get real time updates directly on you device, subscribe now.