fbpx
BJD SKY
BJD SKY

ଭାରତକୁ ମିଳିଗଲା ଘାତକ ଅଲରାଉଣ୍ଡର, ଯିଏ ଯୁବରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଦମ୍ ରଖିଛି !

BJD

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗରୁ ସର୍ବଦା ଦୁନିଆକୁ ବଡ ବଡ ଖେଳାଳି ମିଳିଥାଏ । ଦୁନିଆର ସବୁଠୁ ବଡ ଲିଗ୍ କୁହାଯାଉଥିବା ଆଇପିଏଲରୁ ଭାରତକୁ ଅନେକ ତାରକା ଖେଳାଳି ମିଳିଛନ୍ତି । ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପ୍ରଥମେ ଆଇପିଏଲରେ ନିଜର ଦମ ଦେଖାଇ ଭାରତୀୟ ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି । ଏହା ମଧ୍ୟରେ ଭାରତକୁ ଆଉ ଏକ ଷ୍ଟାର ଖେଳାଳି ଏହି ବଡ ଲିଗରୁ ମିଳି ଯାଇଛି ।

ଭାରତକୁ ଆଇପିଏଲରୁ ଭେଙ୍କଟେଶ ଆୟରଙ୍କ ରୂପେ ଜଣେ ଦମଦାର ଅଲରାଉଣ୍ଡର ମିଳି ଯାଇଛି । କେକେଆରର ଓପନିଂ ବ୍ୟାଟସମ୍ୟାନ ଭେଙ୍କଟେଶ ନିଜର ଦମଦାର ବ୍ୟାଟିଂ ଏବଂ ବୋଲିଂ ଜରିଆରେ ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଆୟର ବିସ୍ଫୋରକ ବ୍ୟାଟିଂ କରିବା ସହିତ ମାପଚୁପ ବୋଲିଂ କରିବାରେ ମଧ୍ୟ ମାହିର । ସେ ବଡ ବଡ ସଟ୍ ମାରିବା ବ୍ୟତୀତ ୱିକେଟ୍ ଟେକର ବୋଲର ମଧ୍ୟ । ଆଗାମୀ ସମୟରେ ସେ ଭାରତୀୟ ଦଳରେ ବଡ ଅଲରାଉଣ୍ଡର ଭାବେ ଆର୍ବିଭାବ ହୋଇ ପାରନ୍ତି । ଏହା ପଛର ବଡ କାରଣ ଭାରତକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୌଣସି ବିକଳ୍ପ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ଏମିତି ସ୍ଥିତିରେ ଆୟର ସେହି ଭୂମିକା ନିଭାଇ ପାରନ୍ତି ।

ଭାରତୀୟ ଦଳର ପୂର୍ବତନ ଦିଗଜ ଖେଳାଳି ସୁନିଲ ଗାଭାସ୍କର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଭେଙ୍କଟେଶ ଆୟର ଆଗାମୀ ସମୟରେ ଭାରତୀୟ ଦଳ ପାଇଁ ଉପଯୋଗୀ ଖେଳାଳି ହୋଇ ପାରନ୍ତି । ସେ କହିଛନ୍ତି, ଆୟର ସେହି ଅଲରାଉଣ୍ଡରର ଭୂମିକା ନିଭାଇ ପାରନ୍ତି ଯାହାକୁ ଭାରତୀୟ ଦଳ ଦୀର୍ଘ ସମୟ ଧରି ସନ୍ଧାନ କରି ଆସୁଛି । ଆୟର ଏମିତି ସମୟରେ ଆସିଛନ୍ତି, ଯେତେବେଳେ ଭାରତ ଅଲରାଉଣ୍ଡର ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଭାରତୀୟ ଦଳର ସମସ୍ୟାକୁ ବଢାଇ ଦେଇଛି । ଆୟର ସେହି ଅଭାବକୁ ପୂରଣ କରି ପାରିବେ ବୋଲି ସୁନିଲ ଗାଭାସ୍କର କହିଛନ୍ତି ।

ଯୁବରାଜ ଓ ପାଣ୍ଡ୍ୟାଙ୍କ ପରି ରହିଛି ଦମ
ଭେଙ୍କଟେଶ ଆୟରଙ୍କ ପାଖରେ ଭାରତର ଦିଗଜ ଅଲରାଉଣ୍ଡର ଯୁବରାଜ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ପରି ଦମ ରହିଛି । ଆୟର ବାମହାତୀ ବ୍ୟାଟସମ୍ୟାନ ଏବଂ ଲମ୍ବା ଲମ୍ବା ସଟ୍ ମାରିବା ସହିତ କ୍ରିଜରେ ଜମି ରହି ଖେଳିବାର କ୍ଷମତା ରଖିଛନ୍ତି । ଏହା ବ୍ୟତୀତ ସେ ଜଣେ ମିଡିୟମ ପେସର, ଯିଏ ଦଳକୁ ସଫଲତା ଦେଇ ପାରିବେ । ଆଇପିଏଲ କାରଣରୁ ଭାରତକୁ ଜଣେ ଭଲ ଅଲରାଉଣ୍ଡର ମିଳି ଯାଇଛି ।

ରିପୋର୍ଟ ଅନୁଯାୟୀ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କର ଫିଟନେସ୍ କାରଣରୁ ଟି-୨୦ ବିଶ୍ୱ କପରୁ ବାହାର କରାଯାଇପାରେ । ସବୁ ଦଳକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଦଳ ବଦଳାଇବାର ସମୟ ରହିଛି । ଏମିତିରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନାହାନ୍ତି । ତେଣୁ ଦଳ ପ୍ରବନ୍ଧକ ଶାର୍ଦ୍ଦୁଳ ଠାକୁର କିମ୍ବା ଶ୍ରେୟସ ଆୟରଙ୍କୁ ଦଳରେ ସୁଯୋଗ ଦେବା ଉପରେ ବିଚାର କରି ପାରନ୍ତି । ବର୍ତ୍ତମାନ ଠାକୁର ଓ ଆୟରଙ୍କୁ ଦଳରେ ରିଜର୍ଭ ଖେଳାଳି ଭାବେ ସାମିଲ୍ କରାଯାଇଛି । କିନ୍ତୁ ବିସିସିଆଇକୁ ଏମିତି କରିବା ମୁସ୍କିଲ ହୋଇପାରେ । କାରଣ ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ ନଜର ରଖାଯାଇଛି । ସମୟ ସହିତ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ । ପାଣ୍ଡ୍ୟାଙ୍କ ଜାଗାରେ ଆଗାମୀ ସମୟରେ ଭେଙ୍କଟେଶ ଆୟର ଏକ ଭଲ ବିକଳ୍ପ ମଧ୍ୟ ହୋଇ ପାରନ୍ତି ।

Get real time updates directly on you device, subscribe now.