ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ଶେଷ ହୋଇସାରିଛି । ଏଥିରେ ମୋଟ ୧୮୨ ଜଣ ଖେଳାଳି ନିଲାମ ହୋଇଥିବା ବେଳେ ଭାରତର ୧୨୦ ଜଣ ଖେଳାଳି ତାଲିକାରେ ସାମିଲ ରହିଛନ୍ତି । ତେବେ ଏହି ଅକ୍ସନରେ ଷ୍ଟାର କ୍ରିକେଟର ଋଷଭ ପନ୍ତ ସର୍ବାଧିକ ୨୭ କୋଟି ଟଙ୍କାରେ ନିଲାମ ହୋଇଛନ୍ତି । ଏହାପରେ ଶ୍ରେୟସ ଆୟର ୨୬.୭୫ ଏବଂ ଭେଙ୍କଟେଶ ଆୟର ୨୩.୭୫ କୋଟି ଟଙ୍କାରେ କୋଲକାତା ସହ ସାମିଲ ହୋଇଛନ୍ତି । ଏହି ମେଗା ଅକ୍ସନ ସାଉଦି ଆରବରେ ହୋଇଥିଲେ ମଧ୍ୟ ଭାରତ ସରକାରଙ୍କୁ ଏଥିରେ ପ୍ରଚୁର ଲାଭ ହୋଇଛି । ସରକାର ଏହି ଅକ୍ସନରୁ କାଟି କୋଟି ଟଙ୍କାର ରୋଜଗାର କରିବେ ବୋଲି କହୁଛି ହିସାବ ।
ଆଇପିଏଲ-୨୦୨୫ ପାଇଁ କୋଟି କୋଟି ଟଙ୍କା ଖେଳାଳିଙ୍କ ନିଲାମ ହୋଇଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମୋଟ ୧୮୨ ଜଣ ଖେଳାଳିଙ୍କ ପାଇଁ ୧୦ଟି ଫ୍ରାଞ୍ଚାଇଜି ଡିଲ୍ କରିଥିଲେ । ଏହି ସମସ୍ତ ଖେଳାଳିଙ୍କ ପାଇଁ ସମସ୍ତ ଦଳ ମୋଟ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସାଉଦି ଆରବରେ ଅକ୍ସନ ହୋଇଥିଲେ ମଧ୍ୟ ଖେଳାଳିଙ୍କ ଦରମାରୁ ଆସୁଥିବା ଟିଡିଏସ ପାଇବେ ଭାରତ ସରକାର । ଭାରତୀୟ ଖେଳାଳି ଏବଂ ବିଦେଶୀ ଖେଳାଳିଙ୍କ ମୋଟ ଆମାଉଣ୍ଟ ଅନୁସାରେ ଭାରତ ସରକାରଙ୍କୁ ଟଡିଏସ ମିଳିପାରିବ । ଏହି ନିଲାମୀରେ ୧୨୦ ଜଣ ଭାରତୀୟ ଖେଳାଳିଙ୍କ ନିଲାମୀ ହୋଇଥିବା ବେଳେ ୬୨ ଜଣ ବିଦେଶୀ ଖେଳାଳିଙ୍କ ନାମ ଏଥିରେ ସାମିଲ ରହିଛି । ଭାରତୀ ଖେଳାଳିଙ୍କ ପାଇଁ ମୋଟ ୩୮୩.୪୦ କୋଟି ଏବଂ ବିଦେଶୀ ଖେଳାଳିଙ୍କ ପାଇଁ ୨୫୫.୭୫ କୋଟି ଖର୍ଚ୍ଚ କରିଛନ୍ତି ଆଇପିଏଲ ଟିମ୍ । ତେବେ ଭାରତୀୟ ଖେଳାଳି ଏବଂ ବିଦେଶୀ ଖେଳାଳିଙ୍କ ପାଇଁ ଟିଡିଏସ ଅଲଗା କାଟିବେ ସରକାର ।
ରିପୋର୍ଟ ଅନୁସାରେ, ଭାରତୀୟ ଖେଳାଳିଙ୍କ ଆଇପିଏଲ ଦରମା ଉପରେ ୧୦ ପ୍ରତିଶତ ଟିଡିଏସ ଲାଗୁ ହେବ । ସେହିପରି ବିଦେଶୀ ଖେଳାଳିଙ୍କ ଦରମା ଉପରେ ୨୦ ପ୍ରତିଶତ ଟିଡିଏସ ଆଦାୟ କରିବେ ଭାରତ ସରକାର । ଭାରତୀୟ ଖେଳାଳିଙ୍କ ପାଇଁ ୩୮୩.୪୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ଏହାର ଟିଡିଏସ ୩୮.୩୪ କୋଟି ଟଙ୍କା ଆଦାୟ କରାଯିବ । ସେହିପରି ବିଦେଶୀ ଖେଳାଳିଙ୍କ ପାଇଁ ୨୫୫.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିପାଇଁ ୫୧.୧୫ କୋଟି ଟଙ୍କା ଟିଡିଏସ ଆକାରରେ ଆଦାୟ କରିବେ ସରକାର । ତେବେ ଆଇପିଏଲ-୨୦୨୫ ମେଗା ଅକ୍ସନରେ ଉଭୟ ବର୍ଗରୁ ମୋଟ ୮୯.୪୯ କୋଟି ଟଙ୍କା ଟିଡିଏସ ଆକାରରେ ଭାରତ ସରକାରଙ୍କ ଆକାଉଣ୍ଟରେ ପହଞ୍ଚିବ ।