fbpx

ଓଡ଼ିଶା ପରିବହନ ବିଭାଗ ଉପରେ ଚଢିଲା IPL କ୍ରେଜ୍: ଉଦାହରଣ ଦେଇ ସଚେତନ କରିବାକୁ ଦେଉଛି ବାର୍ତ୍ତା

ଭୁବନେଶ୍ୱର: ଏବେ ଆଇପିଏଲ୍ ସିଜନ୍ ଚାଲିଥିବା ବେଳେ ସବୁଠି ଏହାର କ୍ରେଜ୍ ଦେଖିବାକୁ ମିଳିଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ଯେତେ ଆଗେଇ ଚାଲିଛି, ସେତେ ଉତ୍କଣ୍ଠା ବଢିବାରେ ଲାଗିଛି। ଚଳିତ ମାସ ରାଜ୍ୟ ପରିବହନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ଏବେ ବିଭାଗର ସୋସିଆଲ ମିଡିଆରେ କ୍ରିକେଟ୍ ମ୍ୟାଚ୍‌ର ନିୟମକୁ ଉଦାହରଣ ଦେଇ ସଡ଼କ ସୁରକ୍ଷା ଏବଂ ରାସ୍ତାରେ ଯିବା ସମୟରେ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରିବାକୁ ପ୍ରୟାସ କରାଯାଉଛି।

ଯେପରିକି କ୍ରିକେଟ୍ ମ୍ୟାଚ୍‌ରେ ବୋଲିଂ କରିବା ସମୟରେ ଯଦି ବୋଲର ନିଦ୍ଧାିତ ଗାର ଆଗକୁ ଯାଇ ବୋଲିଂ କରୁଛନ୍ତି, ତେବେ ଏହାକୁ ନୋ ବଲ୍ ଘୋଷଣା କରିଦିଆଯାଉଛି ଏବଂ ବୋଲର ଏକ ଅତିରିକ୍ତ ବଲ୍ ପକାଇଥାନ୍ତି, ଯେଉଁ ବଲ୍‌ରେ ବ୍ୟାଟ୍ସମ୍ୟାନ୍ ଆଉଟ ହେଲେ ମଧ୍ୟ ଆଉଟ୍ ହୋଇ ନଥାନ୍ତି(ରନ୍ ଆଉଟ୍ ବ୍ୟତିତ)। ସେହିପରି ଟ୍ରାଫିକ୍ ନିୟମ ପ୍ରାୟ ସମାନ। ଯଦି ଆପଣ ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ରେ ନାଲି ଲାଇଟ୍ ଜଳୁଥିବା ସମୟରେ ନିୟମ ପାଳନ କରନ୍ତି ନାହିଁ ଏବଂ ଯେବ୍ରା କ୍ରସିଂ ପାର କରିଯାଆନ୍ତି। ତେବେ ଆପଣଙ୍କୁ ଜୋରିମାନା ଦେବାକୁପଡ଼ିବ। ଅର୍ଥାତ୍ ପରିବହନ ବିଭାଗ କହିବା ମୁତାବକ ‘ଖେଳ ପଡ଼ିଆରେ ହେଉ କିମ୍ବା ରାସ୍ତାରେ, ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡେ।’

ସେହିପରି କ୍ରକେଟ୍ ମ୍ୟାଚ୍ ସମୟରେ ବ୍ୟାଟ୍ସମ୍ୟାନ୍‌ମାନେ ମୁଣ୍ଡର ସୁରକ୍ଷା ପାଇଁ ହେଲମେଟ୍ ବ୍ୟବହାର କରିଥାନ୍ତି । ତେବେ ଯଦି ଖେଳ ସମୟରେ ସେମାନେ ପଡ଼ିଆରେ ହେଲମେଟ୍‌କୁ ଫୋପାଡି ଦିଆନ୍ତି କିମ୍ବା ଏଠାରେ ସେଠାରେ ପକାଇ ଦିଆନ୍ତି, ସେଥି ପାଇଁ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ସେହିଭଳି ଯଦି ଦୁଇ ଚକିଆ ଗାଡ଼ି ଚାଳକ ରାସ୍ତାରେ ଯିବା ସମୟରେ ହେଲମେଟ୍ ପିନ୍ଧି ନାହାନ୍ତି କିମ୍ବା ପାଖରେ ହେଲମେଟ୍ ଥାଇ ମଧ୍ୟ ଏହାକୁ ଗାଡ଼ିରେ ଝୁଲାଇ ରଖିଛନ୍ତି ପିନ୍ଧି ନାହାନ୍ତି, ତେବେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ଏଭଳି ସମାନ ନିୟମକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, କ୍ରିକେଟ୍‌ରେ ହେଲମେଟ୍ ଏବଂ ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ୍ ଆପଣଙ୍କ ସୁରକ୍ଷା ପାଇଁ । ଏହାକୁ ସମ୍ମାନ ଦିଅନ୍ତୁ ନଚେତ୍ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।

Get real time updates directly on you device, subscribe now.