ନୂଆଦିଲ୍ଲୀ- ଝିଅଟିଏ ବୋଲି ସଉକରେ ନଖରେ ନେଲପଲିସ, ଚୁଟିରେ ରଙ୍ଗ ଟିକେ ବୋଳିଥିଲା । ସେ ଜାଣିନଥିଲା, ଏହା ତା ପାଇଁ ହୋଇଯିବ ଅଭିଶାପ । ଏଥିପାଇଁ ତାକୁ ଜୀବନ ହାରିବାକୁ କରାଯିବ ବାଧ୍ୟ । ହଁ ଇରାନର ଫ୍ରାର୍ସ ଇଲାକାରେ ଗୋଟିଏ ଝିଅକୁ ଆତ୍ମହତ୍ୟା ପରି ଏକ ସଂଗୀନ ଅପରାଧ କରିବାକୁ ବାଧ୍ୟ କରିଛି ତାର ଶିକ୍ଷାନୁଷ୍ଠାନ । ଏଇ ଦୁଇଟି ଜିନିଷ ଲଗେଇ ଶିକ୍ଷାନୁଷ୍ଠାନକୁ ଝିଅଟି ଯିବାରୁ ତା ଉପରେ ଏମିତି ଚାପ ସୃଷ୍ଟି କରାଯାଇଥିଲା, ଏମିତି ତାକୁ ମାନସିକ ଭାବେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ କଟ୍ଟରପନ୍ଥୀମାନେ କି ଶେଷରେ ସେ ଆତ୍ମହତ୍ୟା କରିଛି ।
ଯୁଗ ଯାଇ କେଉଁଠି ପହଞ୍ଚିଲାଣି, ହେଲେ ଇରାନ ତାର ସେହି ରୁଢିବାଦୀ ଚିନ୍ତାଧାରାକୁ ମାଡିବସି ଧରିଛି । ବାରମ୍ବାର ମହିଳାଙ୍କ ଉପରେ ଅତ୍ୟାଚାର କରି ବିଶ୍ୱବ୍ୟାପୀ ସମାଲୋଚିତ ହେଉଛି, ହେଲେ ତାର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନି । ୨୦୨୨ରେ ସେଠାର ଡ୍ରେସ କୋଡ ଉଲ୍ଲଙ୍ଘନକୁ ନେଇ ଯେଉଁ ହଇଚଇ ସୃଷ୍ଟି ହେଲା ତାକୁ ସାରା ବିଶ୍ୱ ନିନ୍ଦାକଲା । ନାରୀ ସ୍ୱାଧୀନତା ଓ ସଶକ୍ତି କରଣ ଉପରେ ଗୁରୁତ୍ୱ ଦେଉଥିବା ବିଶ୍ୱ ଇରାନର ସଂକୀର୍ଣ୍ଣ ମାନସିକା ନିକଟରେ ଲଜ୍ଜିତ ହେଲା । ତଥାପି ସେହି ଚିନ୍ତାଧାରାରେ ସାମାନ୍ୟତମ ପରିବର୍ତ୍ତନ ହୋଇନି ।
ଫ୍ରାର୍ସ ପ୍ରାନ୍ତର ଜଣେ ଛାତ୍ରୀ ତାର କଲେଜକୁ ନେଲପଲିସ ଓ ଚୁଟି କଲର କରି ଯିବାରୁ କଲେଜ କର୍ତ୍ତୃପକ୍ଷ ଛାତ୍ରୀକୁ ଏମତି କଲେ କି ସେ ଘରକୁ ଫେରି ଜୀବନ ହାରିଛି । ଏହି ଘଟଣା ଏବେ ପୁଣି ଇରାନର ହୀନ ମାନସିକତା ଉପରେ ଉଠାଇଛି ପ୍ରଶ୍ନ । ଆପଣଙ୍କର ମନେଥିବ, କିଛି ଦିନ ତଳେ ସେଠାକାର ଏକ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ହିଜାବ ନ ପିନ୍ଧିବାରୁ ତାଙ୍କୁ ଇରାନ ମୋରାଲ ପୋଲିସ ଏପରି ନିର୍ଯାତନା ଦେଲା କି, ସେ ନିଜର ପୋଷାକ ସର୍ବ ସମ୍ମୁଖରେ ଖୋଲି ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ ।