fbpx

ଏବେ ବି ଜେଲ୍‌ରେ ଅଛନ୍ତି ନୋବେଲ୍‌ ଶାନ୍ତି ବିଜୟିନୀ ନର୍ଗିସ ମହମ୍ମଦୀ,୧୩ ଥର ଗିରଫ କରିଛନ୍ତି ଇରାନ ସରକାର

ନୂଆଦିଲ୍ଲୀ: ଇରାନର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ମାନବାଧିକାର କର୍ମୀ ନର୍ଗିସ ମହମ୍ମଦୀଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର । ସେ ଇରାନରେ ମାନବାଧିକାରକୁ ପ୍ରୋତ୍ସାହନ ଦେବା ସହ ସମସ୍ତଙ୍କୁ ସ୍ୱାଧୀନତା ମିଳିବା ଦିଗରେ ଦୀର୍ଘ ବର୍ଷ ଧରି ନିଜର ସ୍ୱର ଉତ୍ତୋଳନ କରି ଆସୁଥିଲେ ।

ନର୍ଗିସ ହେଉଛି ସେହି ବାହାଦୂର ମହିଳାଙ୍କ ନାମ ଯାହାଙ୍କୁ ଇରାନ ସରକାର ୧୩ ଥର ଗିରଫ କରିଛନ୍ତି । କିନ୍ତୁ କୌଣସି ଥର ବି ସେ ନିଜର ଦୃଢ ସଂକଳ୍ପରୁ ବିଚ୍ୟୁତ ହୋଇନାହାନ୍ତି । ନର୍ଗିସ୍ ୩୧ ବର୍ଷ ଜେଲ୍‌ରେ କାଟି ସାରିଲେଣି । ଯେତେବେଳେ ତାଙ୍କୁ ବିଶ୍ୱର ଏହି ସର୍ବୋଚ୍ଚ ପୁରସ୍କାର ଦିଆଯାଇଛି ସେତେବେଳେ ବି ସେ ଜେଲ୍‌ରେ ଅଛନ୍ତି । ତାଙ୍କ ଉପରେ ଇରାନ ଶାସନ ବିରୁଦ୍ଧରେ ଭ୍ରମାତ୍ମକ ପ୍ରଚାରକୁ ବ୍ୟାପକ କରୁଥିବା ନେଇ ଅଭିଯୋଗ ଲାଗିଛି ।

ନର୍ଗିସଙ୍କର ଏହି ସଂଘର୍ଷ ୧୯୯୦ ଦଶକରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଫିଜିକ୍ସ ଛାତ୍ରୀ ଭାବରେ ସମାନତା ଓ ମହିଳାଙ୍କ ଅଧିକାର ଉପରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଥିଲେ । ନୋବେଲ କମିଟି କହିଛନ୍ତି ନର୍ଗିସ ନିୟମିତ ଭାବରେ ଭେଦଭାବ ଓ ମହିଳାଙ୍କୁ ଉତ୍ପୀଡନ ବିରୋଧରେ କାର୍ଯ୍ୟ କରି ଆସୁଥିଲେ । ସମସ୍ତଙ୍କୁ ସମ୍ମାନଜନକ ଜୀବନ ଜୀଇଁବାର ଅଧିକାର ଦିଆଯାଉ ଏହା ଦାବୀ କରୁଥିଲେ ନର୍ଗିସ୍ । ଇରାନରେ ଏହି ପ୍ରକାର ଦାବୀ ଲାଗି ଜେଲ୍ ଦଣ୍ଡ ଠାରୁ ଆରମ୍ଭ କରି ମୃତ୍ୟୁଦଣ୍ଡର ପ୍ରାବଧାନ ବି ରହିଛି ଯାହାକୁ ନର୍ଗିସ ତିଳେ ମାତ୍ର ଖାତିର କରି ନ ଥିଲେ ।

ଗତ ବର୍ଷ ଜଣେ କୁର୍ଦ୍ଦ ମହିଳା ମହସା ଅମିନୀଙ୍କ ମୃତ୍ୟୁ ପରେ ଦେଶରେ ହୋଇଥିବା ବିରୋଧକୁ ତେହେରାନ ଜେଲ୍ ମଧ୍ୟରୁ ସମର୍ଥନ କରିଥିଲେ ନର୍ଗିସ୍ । କେବଳ ସମର୍ଥନ କରିଥିଲେ ଲୋକଙ୍କୁ ଏହା ବିରୁଦ୍ଧରେ ଏକତ୍ର ହେବାକୁ ସଚେତନ ବି କରିଥିଲେ । ନ୍ୟୁୟର୍କ ଟାଇମ୍ସରେ ନର୍ଗିସଙ୍କ ଏକ ଲେଖା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଲେଖାର ଶୀର୍ଷକ ଥିଲା, The more of us they lock up, the stronger we become (ସେମାନେ ଆମକୁ ଯେତେ ଅଧିକ ମାତ୍ରାରେ ଜେଲ୍‌ରେ ବନ୍ଦ କରିବେ ଆମେ ସେତେ ଅଧିକ ମାତ୍ରାରେ ସଶକ୍ତ ହେବୁ )।

Get real time updates directly on you device, subscribe now.