fbpx

ଅଢ଼େଇ ବର୍ଷ ପରେ ସର୍ବନିମ୍ନ ସ୍ତରକୁ ଖସିଲା ତମ୍ବାର ଦାମ୍: ଲୁହା ଓ ଷ୍ଟିଲର ମୂଲ୍ୟରେ ମଧ୍ୟ ଘଟିଲା ହ୍ରାସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଦୁନିଆରେ ବିଭିନ୍ନ ପ୍ରକାର ଧାତୁର ମୂଲ୍ୟ କମିବାରେ ଲାଗିଛି । ପୂର୍ବରୁ ଲୁହା ଓ ଷ୍ଟିଲର ଦର କମିଥିବା ଥିବା ବେଳେ ଏବେ ତମ୍ବାର ଦାମ୍ ହ୍ରାସ ପାଇଛି । ବିଶ୍ୱରେ ସୁଧ ହାର ବୃଦ୍ଧି, ଚୀନରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି, ମାନ୍ଦାବସ୍ଥା ଆଶଙ୍କା ଆଦି ବିଭିନ୍ନ କାରଣରୁ ଧାତୁର ଦର ନିମ୍ନମୁଖୀ ହୋଇଛି । ୨୦୨୦ ପରେ ତମ୍ବାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ନ୍ୟୁୟର୍କର କମେକ୍ସ ମାର୍କେଟରେ ତମ୍ବାର ମୂଲ୍ୟ ୪.୮ ପ୍ରତିଶତ ହ୍ରାସ ଘଟିଛି । କାରବାର ସମୟରେ ଏହାର ମୂଲ୍ୟ ଟନ୍ ପିଛା ପାଖାପାଖି ୬୦ ଲକ୍ଷକୁ ଖସି ଆସିଛି । ୨୦୨୦ ପରେ ଏହା ହେଉଛି ତମ୍ବାର ସର୍ବନିମ୍ନ ମୂଲ୍ୟ । ଶଙ୍ଘାଇରେ କଣ୍ଟ୍ରାକ୍ଟଯୁକ୍ତ ତମ୍ବା ମୂଲ୍ୟ ୧.୯ ପ୍ରତିଶତ ହ୍ରାସ ପାଇ ଟନ୍ ପିଛା ପାଖାପାଖି ୭ ଲକ୍ଷ ୯ ହଜାର ଟଙ୍କାରେ ପହଞ୍ଚିଛି ।

ଏକ ରିପୋର୍ଟ ମୁତାବକ, ମାନ୍ଦାବସ୍ଥା ଆଶଙ୍କା କାରଣରୁ ଏପରି ପ୍ରଭାବ ଦେଖିବାକୁ ମିଳୁଛି । ଆମେରିକା ସହିତ କିଛି ଦେଶରେ ମହଙ୍ଗା ଏକ ଦଶକ ଧରି ଉଚ୍ଚସ୍ତରରେ ରହିଥିବା ବେଳେ ସେଥିରୁ ମୁକ୍ତି ପାଇବା ପାଇଁ ସୁଧ ହାର ବୃଦ୍ଧି କରାଯାଉଛି । ଫେଡେରାଲ ରିଜର୍ଭ ସୁଧ ହାର ୦.୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ । ଅନ୍ୟପକ୍ଷରେ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରୁ ମଞ୍ଜୁରୀପ୍ରାପ୍ତ ୱେୟରହାଉସେଜରେ ତମ୍ବା ଭଣ୍ଡାର ଏକ ସପ୍ତାହରେ ୨୦ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୧ ଲକ୍ଷ ୩୬ ହଜାର ଟନରେ ପହଞ୍ଚିଛି ।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ତମ୍ବାର ମୂଲ୍ୟ ଗତ ତିନି ମାସ ମଧ୍ୟରେ ବହୁତ ହ୍ରାସ ପାଇଛି । ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଏହା ହେଉଛି ସବୁଠାରୁ ବଡ଼ଧରଣର ମୂଲ୍ୟ ହ୍ରାସ । ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ତମ୍ବାର ମୂଲ୍ୟ ୫.୧ ପ୍ରତିଶତ ହ୍ରାସ ପାଇ ଟନ୍ ପିଛା ପାଖାପାଖି ୬ ଲକ୍ଷ ଉପରେ ପହଞ୍ଚିଛି । ନିକଟରେ ସୁନା ଓ ରୁପାର ମୂଲ୍ୟରେ ମଧ୍ୟ ହ୍ରାସ ପରିଲକ୍ଷିତ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.