ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର । ରାଜ୍ୟରେ ଆର.ଆଇ, ଅମିନ୍, ଫରେଷ୍ଟର, ଫରେଷ୍ଟ ଗାର୍ଡ଼ ଚାକିରି ଦୁର୍ନୀତି ପ୍ରସଙ୍ଗକୁ ନେଇ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ ଆନ୍ଦୋଳନ ଜାରି ରହିଛି । ତେବେ ଏନେଇ ରାଜ୍ୟ ସରକାର ଗତ ଅକ୍ଟୋବର 17 ତାରିଖରେ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଦନ୍ତ କରୁଥିବା ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ନଭେମ୍ବର 7 ତାରିଖରୁ ପୋର୍ଟାଲ ଖୋଲାଯାଇ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି- ହେଲେ ଏହି ଘଟଣାକୁ 3 ମାସ ପୁରିବାକୁ ବସିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରକାଶ କରାଯାଇ ନାହିଁ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର । ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଛନ୍ତି ।
ଦାବି ପୂରଣ ନହେଲେ ଆନ୍ଦୋଳନ- ଶିଘ୍ର ନିଷ୍ପତ୍ତି ଦାବି କରି ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ପକ୍ଷରୁ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦିଆଯିବା ସହ ଦାବି ପୁରଣ ନହେଲେ ୨୩ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଥିଲା । ଆନ୍ଦୋଳନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ କୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।
ପରୀକ୍ଷା ସମୟସୀମା ପରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା, କଳାତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ଦାୟିତ୍ବ, ବୌଦ୍ଧରୁ ନକଲି ସେଣ୍ଟର ମାଲିକ ଗିରଫ ପରୀକ୍ଷାକୁ ବାତିଲ କରିବାରେ ଯଥେଷ୍ଟ ଅଟେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଲେ- ଅନ୍ୟପଟେ ଫେବୃଆରୀ ୧୩ ରୁ ବିଧାନ ସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସେହି ସମୟକୁ ପ୍ରକୃଷ୍ଠ ସମୟ ଭାବି ବିଧାନ ସଭା ଅଧିବେଶନରେ ନିଯୁକ୍ତି ଦୁର୍ନୀତି ଓ ଆର.ଆଇ. ପରୀକ୍ଷାକୁ ପ୍ରମୁଖ ପ୍ରସଙ୍ଗ କରି ମେଧାବୀଙ୍କ ଦାବି ରଖିବାକୁ ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଆବାହକ ବିଭୁତି ଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଆଜି ନିଯୁକ୍ତି ଦୁର୍ନୀତି ସଂପର୍କରେ ସଂଗଠନର ୫ଜଣିଆ ପ୍ରତିନିଧି ମଣ୍ଡଳୀ ଆଲୋଚନା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମୟ ମାଗିଥିବା କଥା ପତ୍ରରେ ଉଲ୍ଲେଖ ରହିଛି ।