fbpx

Champions Trophy-2025 ପାଇଁ ନୂଆ ପ୍ଲାନ୍ କରୁଛି BCCI? ଟିମ ଇଣ୍ଡିଆ ସହ ପାକିସ୍ତାନ ଯିବ ସୁରକ୍ଷା ବଳ!

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନରେ ଆୟୋଜିତ ହେବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ତେଣୁ ପାକିସ୍ତାନ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଭାରତୀୟ ଟିମ୍ ପାକିସ୍ତାନ ଯିବ କି ନାହିଁ, ସେ ନେଇ ବର୍ତ୍ତମାନ ପର୍ୟ୍ୟଡ଼୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରାଜନୈତିକ ଏବଂ କୁଟନୀତିକ ସମ୍ପର୍କ ଯୋଗୁଁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ ଉପରେ ସନ୍ଦେହ ରହିଛି । ଯଦି ଭାରତ ସରକାର ଚାହିଁବେ, ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିପାରିବ । ଏଭଳି ସ୍ଥିତିରେ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, କ’ଣ ଟିମ୍ ଇଣ୍ଡିଆ ସହିତ ଭାରତ ଏହାର ନିଜର ସୁରକ୍ଷା ପାକିସ୍ତାନକୁ ପଠାଇପାରିବ କି ?

ସାଧାରଣତଃ, ଯେକୌଣସି ଇଭେଣ୍ଟ କିମ୍ବା ଟୁର୍ଣ୍ଣାମେଣ୍ଟ ପାଇଁ ଗୋଟିଏ ଦଳ ଅନ୍ୟ କୌଣସି ଦେଶ ଗସ୍ତରେ କିଛି ତ୍ରୁଟି ଆଶଙ୍କା କରନ୍ତି, ସେତେବେଳେ ପ୍ରଥମେ ସେହି ଦେଶର ସୁରକ୍ଷା ଦଳ ପରିଦର୍ଶନ କରନ୍ତି । କ୍ରିକେଟ୍ ପଡିଆ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଏହି ସୁରକ୍ଷା ଦଳ ପଠାଯାଏ । କିନ୍ତୁ ଆୟୋଜକ ଦେଶ ଦ୍ୱାରା ହିଁ ଭ୍ରମଣକାରୀ ଖେଳାଳିଙ୍କୁ ମୁଖ୍ୟ ସୁରକ୍ଷା ଯୋଗାଇ ଦିଆଯାଏ । ସୁରକ୍ଷା ପରିଚାଳକମାନେ କ୍ରିକେଟ୍ ଦଳ ସହିତ ଯାତ୍ରା କରିପାରିବେ । ତେବେ କୌଣସି ଦେଶକୁ କ୍ରିକେଟ୍ ଦଳ ସହିତ ସେନା କିମ୍ବା କୌଣସି ସଶସ୍ତ୍ର ସୁରକ୍ଷା ନେବାକୁ ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଯଦି ପାକିସ୍ତାନ ଯାଏ, ତେବେ ଏହା ପୂର୍ବରୁ ଯାଞ୍ଚ ପାଇଁ ଏହାର ଏଜେନ୍ସି ପଠାଇ ପାରିବେ । କିନ୍ତୁ ସେହି ଏଜେନ୍ସିରେ କେବଳ ସୁରକ୍ଷା ଅଧିକାରୀଙ୍କୁ ଅନୁମତି ମିଳିବ । କୌଣସି ସଶସ୍ତ୍ର ବାହିନୀକୁ ଯିବାକୁ ଦିଆଯିବ ନାହିଁ । ଏହାପୂର୍ବରୁ ଅନେକ ଦଳ ଗସ୍ତ ପୂର୍ବରୁ ନିଜର ସୁରକ୍ଷା ବାହିନୀଙ୍କୁ ପଠାଇ ସାରିଛନ୍ତି ।

ଟିମ୍ ଗସ୍ତ ପୂର୍ବରୁ ସୁରକ୍ଷା ଟିମ୍ ପଠାଇଥିବା ଦେଶ :-

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ବାଂଲାଦେଶ (୨୦୨୪): ବାଂଲାଦେଶ କ୍ରିକେଟ୍ ବୋର୍ଡ ସେମାନଙ୍କର ପାକିସ୍ତାନ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହାପରେ ବାଂଲାଦେଶ ସରକାର ଏହାର ସୁରକ୍ଷା ବିଶେଷଜ୍ଞଙ୍କୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପାକିସ୍ତାନ ଗସ୍ତରେ ପଠାଇଥିଲା ।

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ନ୍ୟୁଜିଲାଣ୍ଡ (୨୦୨୪): ନ୍ୟୁଜିଲାଣ୍ଡ କ୍ରିକେଟର ଏକ ସୁରକ୍ଷା ପ୍ରତିନିଧି ଦଳ ଏପ୍ରିଲ ମାସରେ ଟି୨୦ ସିରିଜ୍ ପୂର୍ବରୁ ପାକିସ୍ତାନରେ ପହଞ୍ଚି କିୱି ଦଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ୨ ଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ସୁରକ୍ଷା ବିଶେଷଜ୍ଞ ରହିଥିଲେ । ସେ ପାକିସ୍ତାନରେ ପହଞ୍ଚି ଲାହୋର, ରାୱଲପିଣ୍ଡି ଏବଂ ଇସଲାମାବାଦ ପରିଦର୍ଶନ କରିଥିଲେ ।

ଭାରତକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (୨୦୦୮): ୨୦୦୮ରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ସୁରକ୍ଷା ବିଶେଷଜ୍ଞ ରେଗ ଡିକାସନ ଭାରତରେ ପହଞ୍ଚି ଷ୍ଟାଡିୟମ ଏବଂ ହୋଟେଲର ରିସେପ୍ଟ କରିବା ସହ ଅଧିକାରୀଙ୍କ ସହ ଇଂଲଣ୍ଡର ଦୁଇ ଟେଷ୍ଟ ସିରିଜର ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ।

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (୨୦୦୫): ୨୦୦୫ରେ ଇଂଲଣ୍ଡ ଗସ୍ତ ପୂର୍ବରୁ ଭେନ୍ୟୁ ଯାଞ୍ଚ କରିବା ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଦୁଇ ସୁରକ୍ଷା ବିଶେଷଜ୍ଞ ପାକିସ୍ତାନର କରାଚିରେ ପହଞ୍ଚିଥିଲେ ।

ଭାରତକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (୨୦୦୧): ୨୦୦୧ରେ ଏକ ସିରିଜ ଖେଳିବାକୁ ଇଂଲଣ୍ଡ ଭାରତ ଗସ୍ତ ସମୟରେ ବିସିସିଆଇ ପ୍ରଥମରୁ କହିଥିଲା ଯେ ଭ୍ରମଣକାରୀ ଦଳକୁ ଭାରତ କୌଣସି ବିଶେଷ ସୁରକ୍ଷା ଯୋଗାଇବ ନାହିଁ ଏବଂ ଭାରତରେ ଥିବାବେଳେ ଇଂଲଣ୍ଡକୁ ନିଜ ସୁରକ୍ଷା ଉପରେ ନିର୍ଭର କରିବାକୁ ପଡିବ । ଇଂଲଣ୍ଡର ଦୁଇଜଣ ହାଇ-ପ୍ରୋଫାଇଲ୍ ଅଧିକାରୀ ମାଥ୍ୟୁ କିଲବ୍ରାଇଡ୍ ଏବଂ ଡଗଲସ୍ ଡିକ୍ କ୍ରିକେଟ୍ ଦଳ ସହିତ ଭାରତ ଆସି ଦଳର ସୁରକ୍ଷା ଦାୟିତ୍ୱ ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଇଂଲଣ୍ଡ ଦଳକୁ ସୁରକ୍ଷା ଯୋଗାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.