fbpx

ପାକିସ୍ତାନ ଠାରୁ PoK ଆଣିବା କେତେ ସହଜ? କେବଳ ବୟାନବାଜୀରେ ଏହା ସଫଳ ହେବନି, ଏଥିପାଇଁ ଆବଶ୍ୟକ ଆଇନ, କୂଟନୀତି, ତଥ୍ୟ, ପ୍ରମାଣ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ସୀମା, ଆତଙ୍କବାଦ ବିବାଦ ଲାଗି ରହିଛି । ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବୋଲି ସାରା ଦେଶଷର ଅନେକ ଥର ଚର୍ଚ୍ଚା ହୋଇଛି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅନେକ ଥର ବୟାନ ଦେଇଛନ୍ତି ।

ଯଦିଓ ପିଓକେ ଫେରାଇ ଆଣିବା ପ୍ରସଙ୍ଗକୁ ନେଇ ଭାରତରେ ଅନେକ ଥର ଚର୍ଚ୍ଚା ହୋଇଛି, ତେବେ ଏହା କେତେ ସହଜ ତାହା ଆମେ ସମସ୍ତେ ଜାଣିବା ଆବଶ୍ୟକ । କେବଳ କହିଦଲେ ପିଓକେ ଭାରତକୁ ଫେରି ପାରିବ ନାହିଁ । କଶ୍ମୀରରୁ ୩୭୦ ଧାରା ହଟାଇବା ପଦକ୍ଷେପ ନେଇ ମୋଦୀ ଯେଭଳି ଭାବେ ସାରା ବିଶ୍ୱକୁ ଚମକାଇ ଦେଇଥିଲେ ସେହିପରି ପିଓକେ ବାବଦରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହା ଏତେ ସହଜ ହୋଇନପାରେ ବୋଲି ଅନେକ ମତ ଦେଇଛନ୍ତି ।

ଏନେଇ ରିସର୍ଚ୍ଚ ଆଣ୍ଡ ଆନାଲିସି୍ ୱିଙ୍ଗ (ର)ର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ଏକ ଅନ୍ତର୍ଜାତୀୟ ସୀମାର ମାନ୍ୟତା ଲାଭ କରିସାରିଛି । ତେଣୁ ଏହି ପ୍ରକ୍ରିୟା ସମାପ୍ତ ହେବାକୁ ଅତିକମରେ ୭ରୁ ୧୦ ବର୍ଷ ସମୟ ଲାଗିପାରେ । ସେହିପରି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏ ବିଷୟରେ ଟ୍ୱିଟ୍ କରି କହିଥିଲେ ଯେ, ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମିଳିତ ଜାତିସଂଘରେ ଏହାକୁ ନେଇ ଏକ ପ୍ରସ୍ତାବ ଦାୟର କରିଥିଲେ । ଉକ୍ତ ପ୍ରସ୍ତାବକୁ ଫେରସ୍ତ ଆଣିବା ଫଳରେ ପିଓକେକୁ ସେନା କବଜାକୁ ନେବା ସମ୍ଭବ ହୋଇପାରିବ ।

ଏ ବାବଦରେ ଜଣେ ପୂର୍ବତନ ସ୍ଥଳ ସେନାଧ୍ୟକ୍ଷ କହିଛନ୍ତି ଯେ, ପିଓକେ ହାସଲ କରିବା ଏତେ ସହଜ ନୁହେଁ । ପିଓକେ ପାଇବାକୁ ହେଲେ ଆମକୁ ସାଧାରଣ ଯୁଦ୍ଧ ନୁହେଁ, ଭୟଙ୍କର ଯୁଦ୍ଧ ଲଢ଼ିବାକୁ ପଡ଼ିବ । ସେଥିପାଇଁ ଆମର ପ୍ରତିରକ୍ଷା ଶକ୍ତିକୁ ବହୁଗୁଣିତ କରିବାକୁ ପଡ଼ିବ । ପାକିସ୍ତାନ ଆମର ଅଞ୍ଚଳକୁ କବଜା କରିଛି, ତେଣୁ ଏଥିରେ ଜାତିସଂଘକୁ ସାମିଲ କରିବା ଅନୁଚିତ । ଜାତିସଂଘ କେବେ ବି ଭାରତକୁ ପିଓକେ ପ୍ରଦାନ କରିପାରିବ ନାହିଁ । ଦେଶ ସ୍ୱାଧୀନତା ସମୟରେ ଦାୟର କରାଯାଇଥିବା ପ୍ରସ୍ତାବରେ ଜନମତ ସଂଗ୍ରହ ଉପରେ କୁହାଯାଇଥିଲା । ସେହିପରି ଏ ବିଷୟରେ ଜଣେ ସମ୍ବିଧାନ ବିଶେଷଜ୍ଞ କହିଛନ୍ତି ଯେ, ପିଓକେ ହାସଲ କରିବାକୁ ହେଲେ ଭାରତକୁ ପୂର୍ବାପେକ୍ଷା ଅଧିକ ତଥ୍ୟ, ପ୍ରମାଣ ସଂଗୃହୀତ କରିବାକୁ ପଡ଼ିବ ।

Get real time updates directly on you device, subscribe now.