fbpx

ବନ୍ଧୁତା କରିବା ପାଇଁ ପଛଘୁଞ୍ଚା ଦେଉଛି କି ଆପଣଙ୍କ ପିଲା ? ମାତା ପିତା ଏଭଳି କରନ୍ତୁ ସାହାଯ୍ୟ

Advertisement

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବି ହୋଇଥିବାରୁ ଏକକ ପରିବାରର ଚଳଣି ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ମାତା ପିତା ପିଲାଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ । ପିଲାଟି ସ୍କୁଲରୁ ଫେରିଲା ପରେ ଆନେକ କଥା ଶେୟାର କରିବା ପାଇଁ ମାତା ପିତାଙ୍କ ସାନିଧ୍ୟ ଖୋଜି ଥାଏ । ଅଧିକାଂଶ ସ୍ଥିତିରେ ଦମ୍ପତ୍ତି ବ୍ୟସ୍ତ ରହିବା ଯୋଗୁଁ ଏପରି ସମ୍ଭବ ହୋଇନଥାଏ । ପରବର୍ତ୍ତୀ ସମୟରେ ମାତା ପିତା ଏବଂ ସନ୍ତାନ ମଧ୍ୟରେ ଏକ ପ୍ରକାର ଦୂରତା ଦେଖାଦେଇଥାଏ । ଫଳରେ ପିଲାଟି ଏକଲାପଣକୁ ଦୂର କରିବା ପାଇଁ ସୋସିଆଲ ମିଡିଆ ଏବଂ ଭିଡ଼ିଓ ଗେମ ସହ ବନ୍ଧୁତା କରିଥାଏ । ଅନ୍ୟ ପିଲାଙ୍କ ତୁଳନାରେ ସେମାନେ କାହା ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ଏକୁଟିଆ ରହିବା ପାଇଁ ପସନ୍ଦ କରିଥାନ୍ତି । ଏହା ସେମାନଙ୍କ ପାଠପଢ଼ା ସହ ସୋସିଆଲ ଲାଇଫକୁ ମଧ୍ୟ ପ୍ରଭାବିତ କରିଥାଏ । ଜୀବନରେ ବନ୍ଧୁତା ଏକ ବିଶେଷ ସମ୍ପର୍କ ଅଟେ । ସୁଖ ଦୁଃଖରେ ଜଣେ ଉତ୍ତମ ବନ୍ଧୁ ହିଁ କାମରେ ଆସିଥାଏ । ଏମାନେ ଜୀବନକୁ ଏକ ମାର୍ଗଦର୍ଶନ ଦେବାରେ ସହାୟକ ହୋଇଥାନ୍ତି । ଜଣେ ବନ୍ଧୁ ସାମ୍ନାରେ ବ୍ୟକ୍ତି ମନର କଥା ଖୋଲି ପ୍ରକାଶ କରିଥାଏ । ତେଣୁ ମାତା ପିତାମାନେ ନିଜ ସନ୍ତାନର ଭବିଷ୍ୟ ସୁଧାରିବାକୁ ଚାହୁଁଥିଲେ ପ୍ରଥମେ ସେମାନଙ୍କୁ ସମୟ ଦିଅନ୍ତୁ । ସେମାନଙ୍କୁ ଡିଜିଟାଲ ଦୁନିଆରୁ ବାସ୍ତବତାରେ ବନ୍ଧୁତା ସ୍ଥାପନ କରିବାର ଶୈଳୀ ଶିଖାନ୍ତୁ । ଏଥିପାଇଁ ନିମ୍ନଲିଖିତ ଟିପ୍ସ ଆପଣାଇ ପାରିବେ ।

୧. ପିଲାଙ୍କୁ ସମୟ ଦିଅନ୍ତୁ: ଏକକ ପରିବାରରେ ମାତା ପିତାଙ୍କ ସମୟ ଅଭାବ ହେତୁ ପିଲାମାନେ ନିଜକୁ ଏକୁଟିଆ ଅନୁଭବ କରିଥାନ୍ତି । ଫଳରେ ସେମାନେ ଅନ୍ୟମାନଙ୍କ ସହ ସହଜରେ ମିଶିପାରନ୍ତି ନାହିଁ । ଏଭଳି ସ୍ଥିତିରେ ମାତା ପିତାମାନେ ପିଲାଙ୍କ ସହ ଖେଳନ୍ତୁ, ପିଲାଙ୍କ ସହ ପାର୍କ ଯାଆନ୍ତୁ । ସେଠାରେ ଅନ୍ୟ ପିଲାଙ୍କୁ ଦେଖି ସହଜ ଅନୁଭବ କରିଥାନ୍ତି ଏବଂ ଅନେକ କଥା ଶିଖିଥାନ୍ତି । ଏହା ବ୍ୟତୀତ ରାତିରେ ଶୋଇବା ସମୟରେ ପିଲାଙ୍କୁ ନିଜ ପିଲାଦିନର କାହାଣୀ ମଜାଳିଆ ଢ଼ଙ୍ଗରେ ଶୁଣାଇପାରିବେ ।

୨. ଶେୟାରିଂ ଏବଂ କେୟାରିଂ: ଏକକ ପରିବାରରେ ପିଲାମାନେ ନିଜ ଜିନିଷ କାହା ସହ ଶେୟାର କରିବାକୁ ପସନ୍ଦ କରିନଥାନ୍ତି । ଫଳରେ ବାହାର ପରିବେଶରେ ସେମାନଙ୍କ ପାଇଁ ତିଷ୍ଟିବା କଷ୍ଟକର ହୋଇଥାଏ । ଏଭଳି ପିଲାମାନେ କେବଳ ନିଜ ସୁବିଧା ବିଷୟରେ ଚିନ୍ତା କରିଥାନ୍ତି । ତେଣୁ ମାତା ପିତାମାନେ ନିଜ ସନ୍ତାନଙ୍କୁ ପ୍ରଥମରୁ ଶେଆରିଂ ଏବଂ କେୟାରିଂ ଭଳି ଉତ୍ତମ ଆଚରଣ ଶିଖାନ୍ତୁ । ଉଦାହରଣ ସ୍ୱରୂପ ସ୍କୁଲରେ ସେମାନଙ୍କ ସାଙ୍ଗସାଥୀ ସହ ଉତ୍ତମ ବ୍ୟବହାର କରନ୍ତୁ ଏହା ଦ୍ୱାରା ପିଲାମାନେ ଦେଖି ଦେଖି ଅନେକ କଥା ଶିଖିଥାନ୍ତି ।

୩. ଅନ୍ୟକୁ ସମ୍ମାନ ଜଣାଇବା: ପ୍ରତ୍ୟେକ ମାତା ପିତା ସେମାନଙ୍କ ସନ୍ତାନକୁ କଥା ଅନ୍ୟର ସମ୍ମାନ କରିବା ଶିଖାଇବା ଉଚିତ । ଗୁରୁଜନଙ୍କୁ ପ୍ରଣାମ କରିବା, ସହପାଠୀଙ୍କ ସହ ହ୍ୟାଣ୍ଡଶେକ୍ ସହ ହାଏ- ହେଲୋ ଏବଂ ନମ୍ର ଭାବରେ କଥା ହେବା ଭଳି ଉତ୍ତମ ବ୍ୟବହାର ପିଲାଙ୍କୁ ସୋସିଆଲାଇଜ୍ ହେବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଶ୍ରେଣୀରେ ସହପାଠୀ ଏବଂ ଶିକ୍ଷକଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇଥାଏ । ଅନ୍ୟର ମଜାକ୍ ଉଡ଼ାଇବା, ଅପଶବ୍ଦ ବ୍ୟବହାର କରିବା ଠାରୁ ସେମାନଙ୍କୁ ଦୂରେଇ ରଖନ୍ତୁ ।

୪. ଅନ୍ୟକୁ ସାହାଯ୍ୟ କରିବା: କେହି ସହପାଠୀ କିମ୍ବା ସାଙ୍ଗ ଅସୁବିଧାରେ ଥିଲେ ସାହାଯ୍ୟ କରିବା ଶିଖାନ୍ତୁ । ଏହା ସେମାନଙ୍କୁ ଦାୟିତ୍ୱବାନ କରିଥାଏ । ସମୟ ଆସିଲେ ସେମାନେ ମଧ୍ୟ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେବେ ନାହିଁ ।

୫. ସରି ଏବଂ ଥ୍ୟାଙ୍କ୍ ୟୁ: ‘ସରି’ ଏବଂ ‘ଥ୍ୟାଙ୍କ୍ ୟୁ’ ସମ୍ପର୍କ ଯୋଡ଼ି ପାରେ ଏବଂ ଭାଙ୍ଗି ବି ପାରେ । ଘର ହେଉ କିମ୍ବା ବାହାର, ପରିବାର ସଦସ୍ୟ, ସାଙ୍ଗସାଥି ହୁଅନ୍ତୁ କିମ୍ବା ଶିକ୍ଷକ ଭୁଲ କରିଥିଲେ ପିଲାକୁ ସରି କହିବା ଶିଖାନ୍ତୁ । ଅନ୍ୟଠାରୁ କିଛି ଉପହାର କିମ୍ବା ସାହାଯ୍ୟ ପରିବର୍ତ୍ତେ ଥ୍ୟାଙ୍କ୍ ୟୁ କହିବା ଏକ ଉତ୍ତମ ବ୍ୟବହାର ଅଟେ । ଏହି ଦୁଇ ଶବ୍ଦର ଉଚିତ ବ୍ୟବହାର ବିଷୟରେ ପିଲାଙ୍କୁ ଶିକ୍ଷା ଦିଅନ୍ତୁ ।

Get real time updates directly on you device, subscribe now.