fbpx

ଇସାକ୍‌ ମୁଣ୍ଡା ପୁଣି ଚର୍ଚ୍ଚାରେ, ୟୁଟ୍ୟୁବ ରୋଜଗାରରୁ ଗାଁ ରାସ୍ତା ସଜାଡ଼ିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ଦିନମଜୁରିଆ ଭାବେ ଚଳୁଥିବା ଜଣେ ବ୍ୟକ୍ତି ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷ ଛୁଇଁପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ଯୁବ ୟୁଟ୍ୟୁବର୍‌ ଇସାକ ମୁଣ୍ଡା। ଅତି ସାଧାସିଧା ଜୀବନ ଯାତ୍ରାର ନିତିଦିନିଆ ଘଟଣାବଳୀ ସବୁ ୟୁଟ୍ୟୁବ୍‌ରେ ଲୋଡ୍‌ କରି ସେ ସାଉଁଟିଛନ୍ତି ଅସରନ୍ତି ପ୍ରଶଂସା। ଅର୍ଜି ପାରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେବେ ଏହି ଯୁବ ଉଦ୍ୟୋଗୀ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ୟୁଟ୍ୟୁବ୍‌ ରୋଜଗାରରେ ଇସାକ୍‌ ନିଜ ଗାଁ ରାସ୍ତା ମରାମତି କରିଛନ୍ତି।

ଅନ୍ୟମାନଙ୍କ ପାଇଁ ପ୍ରେରଣାର ପାତ୍ର ପାଲଟିଥିବା ଇସାକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ। ଆଉ ଏହାରି ମଧ୍ୟରେ ଇସାକ୍ ମୁଣ୍ଡା ନିଜ ଗାଁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ି ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ଇସାକ୍‌ଙ୍କ ଗାଁ ବାବୁପାଲି ରାସ୍ତା ଅବସ୍ଥା ପୂରା ଶୋଚନୀୟ ହୋଇପଡ଼ିଥିଲା। ଏଥିପାଇଁ ଇସାକ୍‌ ନିଜ ଖର୍ଚ୍ଚରେ ୩ ଟ୍ରିପ୍‌ ପଥର ଗୁଣ୍ଡ ଓ ଅନ୍ୟ ସାମଗ୍ରୀ କିଣି ରାସ୍ତା ମରାମତି କରିଛନ୍ତି। ଆଉ ୬ଜଣ ଶ୍ରମିକଙ୍କ ମଧ୍ୟ ସେ ସହାୟତା ନେଇଥିଲେ। ଏଥିସହ ଗାଁ ରାସ୍ତାକୁ ପୂରା ପକ୍କା କରିବାକୁ ସେ ପ୍ରଶାସନକୁ ଅନୁରୋଧ ଜଣାଇଛନ୍ତି। ଇସାକ୍‌ ମୁଣ୍ଡାଙ୍କ ଏଭଳି କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା ମିଳିବାରେ ଲାଗିଛି।

Get real time updates directly on you device, subscribe now.