fbpx

ଇଶାନ ନା ରାହୁଲ… ODI WC ଦଳରେ କିଏ ପାଇବେ ସୁଯୋଗ? ଦ୍ୱନ୍ଦ୍ୱରେ କ୍ରିକେଟପ୍ରେମୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଯାଇଛି ୧୫ ଜଣିଆ ଭାରତୀୟ ଦଳ । ଏହି ଦଳରେ ତିଲକ ବର୍ମା ଏବଂ ୟୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡ଼ିଥିବା ବେଳେ ସଞ୍ଜୁ ସାମସନ ମଧ୍ୟ ଦଳରେ ସ୍ଥାନ ହରାଇଛନ୍ତି । ତେବେ ଆହତ ପରେ କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଆୟର କମବ୍ୟାକ କରିଛନ୍ତି । ତେବେ ଏହି ଦଳ ବିଶ୍ୱକପ ଜିତାଇବା ପାଇଁ ଖୁବ ଶକ୍ତିଶାଳୀ ମନେ ହେଉଛି । କିନ୍ତୁ ଗୋଟିଏ ପ୍ରଶ୍ନ ରହିଛି, ଇଶାନ ଏବଂ ରାହୁଲଙ୍କ ମଧ୍ୟରେ ଦଳର ପ୍ରଥମ ୱିକେଟ କିପର ଖେଳାଳି କିଏ?

ଭାରତ ୧୫ ଜଣିଆ ବିଶ୍ୱକପ ଦଳ ଘୋଷଣା କରିବା ପରେ କିନ୍ତୁ ରାହୁଲଙ୍କ ଚୟନକୁ ନେଇ ସାମାନ୍ୟ ଅସନ୍ତୋଷ ଦେଖା ଦେଉଛି । ରାହୁଲ ୪ ମାସରୁ କ୍ରିକେଟ ଖେଳି ନଥିବା ବେଳେ ବିଶ୍ୱକପ ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଚୟନକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଆଲୋଚକ । କାରଣ ରାହୁଲ ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ରହିଥିବା ବେଳେ ଇଶାନ କିଶାନ ଦମଦାର ଫର୍ମରେ ରହିଛନ୍ତି । ତେଣୁ ବିଶ୍ୱକପରେ ପ୍ରଥମେ ତାଙ୍କୁ ଖେଳାଇବା ପାଇଁ ଦାବି କରିଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ଅଭିଜ୍ଞତା ଅନୁସାରେ ରାହୁଲଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । ତେଣୁ ରାହୁଲ-ଇଶାନଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଫ୍ୟାନ୍ସ । ତେବେ ଏହି ସମସ୍ୟାର ସମାଧାନ ଦେଇଛନ୍ତି ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ।

ପ୍ରେସ କନଫରେନ୍ସରେ ଅଗରକର କହିଛନ୍ତି ଯେ, ଦଳକୁ ସନ୍ତୁଳିତ କରିବା ପାଇଁ ଆମର ଚେଷ୍ଟା ରହିବ । କେ.ଏଲ ରାହୁଲ ହେଉଛନ୍ତି ଆମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ଖେଳାଳି । ତେବେ ଏହାପରେ ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଇଶାନ ଏବଂ ରାହୁଲଙ୍କ ମଧ୍ୟରୁ ଦଳରେ କାହାକୁ ସୁଯୋଗ ମିଳିବ । ଏହାର ଉତ୍ତରରେ ଅଗରକର କହିଛନ୍ତି ଯେ, ଏ ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ଚିନ୍ତା କରାଯାଇ ନାହିଁ । ତେବେ ଇଶାନ ଓପନ୍ କରିପାରନ୍ତି, କିନ୍ତୁ ଏହା ପରେ ବିଚାର କରାଯିବ । ଟିମ ପାଇଁ ଯାହା ଆବଶ୍ୟକ ହେବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ।

Get real time updates directly on you device, subscribe now.