fbpx

ପ୍ରଦର୍ଶନକାରୀଙ୍କ ପ୍ରତି ଅମାନୁଷିକ ଆଚରଣ, ଦେଶରେ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଖପ୍ପା ଜନତା

ନୂଆଦିଲ୍ଲୀ:ଇସ୍ରାଏଲରେ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଲୋକମାନେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ବିରୋଧ କରି ଆସୁଛନ୍ତି । ଏହି ସଂପର୍କିତ ବିଭିନ୍ନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ନିଃବସ୍ତ୍ର ବସିଥିବା ପ୍ରଦର୍ଶନକାରୀଙ୍କ ଉପରେ ୱାଟର କାନନରେ ଏପରି ଭାବରେ ଆକ୍ରମଣ କରାଯାଇଛି ଯେ, ନିଜ ସ୍ଥାନରେ କଚାଡି ହୋଇ ପଡିଛି । ଆଉ ଏକ ଭିଡିଓ ତ ଆପଣଙ୍କ ଛାତି ଥରାଇ ଦେବ ଯେଉଁଥିରେ କାର୍ ପ୍ରଦର୍ଶନକାରୀଙ୍କୁ ଧକ୍କା ଦେଇ ଚାଲିଯାଇଛି । ଏହା ବ୍ୟତିତ ଲୋକମାନେ ଇସ୍ରାଏଲର କିଛି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ଫଟୋ ସେୟାର କରିଛନ୍ତି ଯାହା କଳା ରଙ୍ଗର । ଏହା ଉପରେ କିଛି ଲେଖାଯାଇ ନାହିଁ ସତ କିନ୍ତୁ କିଛି ନ ଲେଖି ବି ମେସେଜ୍ ଦିଆଯାଇଛି । ଏପରି କରି ସମ୍ବାଦପତ୍ର ଗୁଡିକ ଦର୍ଶାଇଛନ୍ତି ଯେ, ସେମାନେ ବି ଲୋକଙ୍କ ସହିତ ରହିଛନ୍ତି ।
ଏପରି ଏକ ଭିଡିଓ ନଜର ଆସିଛି ଯେଉଁଥିରେ ଜଣେ ସୁରକ୍ଷାକର୍ମୀଙ୍କୁ ମହିଳା ପ୍ରଦର୍ଶନକାରୀ କେଶ ଧରି ଟାଣି ଟାଣି ନେଉଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ମହିଳାଙ୍କୁ ଧରି ପାଚେରୀର ସେପଟକୁ ଫିଙ୍ଗି ଦେଉଛନ୍ତି । ଅନ୍ୟ ଜଣେ ପ୍ରଦର୍ଶନକାରୀଙ୍କ ଡ୍ରେସକୁ ଫାଡି ଦିଆଯାଉଛି । ଅନ୍ୟମାନଙ୍କ ସହ ବି ଏପରି କିଛି ଆଚରଣ କରାଯାଉଛି । ଯେତେ ଲୋକଙ୍କୁ ବିରୋଧ କରାଯାଉଛି ସେମାନେ ହାତରେ ଦେଶର ପତାକା ଧରି ଉଗ୍ର ରୂପ ଧାରଣ କରୁଛନ୍ତି ।

ଇସ୍ରାଏଲରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଅସୁସ୍ଥତାକୁ ବି ଲୋକମାନେ ନାଟକ ବୋଲି କହୁଛନ୍ତି । ନେତନ୍ୟାହୁଙ୍କୁ ବିଲ୍ ଉପରେ ଭୋଟିଂ ପୂର୍ବରୁ ହସ୍ପିଟାଲ ନିଆଯାଇଥିଲା ଓ ଏବେ ଅପରେସନ ପରେ ଡିସଚାର୍ଜ କରାଯାଇଛି । ତେବେ ପ୍ରଦର୍ଶନରେ ଯେଉଁ ସାଧାରଣ କଥା ଦେଖିବାକୁ ମିଳୁଛି ତାହା ହେଉଛି ଲୋକଙ୍କ ହାତରେ ଦେଶର ପତାକା । ପ୍ରଦର୍ଶନକାରୀଙ୍କ ଅଭିଯୋଗ ନେତନ୍ୟାହୁ ସରକାର ଦେଶର ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ।
ଏଠାରେ ସୂଚାଇଦିଆଯାଇପାରେ ଯେ, ଇସ୍ରାଏଲ ସଂସଦ ସୋମବାର ଏକ ବିବାଦାସ୍ପଦ ଆଇନକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ସଂସଦରେ ବିଲ୍ ସପକ୍ଷରେ ୬୪ ଭୋଟ ପଡିଥିବା ବେଳେ ବିରୋଧ ଶୂନ । ସରକାର ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଏହି ବିଲ୍ ପାସ୍ କରିଛନ୍ତି । କିନ୍ତୁ ବିପକ୍ଷ ଏହାର ଜୋରଦାର ବିରୋଧ କରି ଏହାର ସଂଶୋଧନ ଦାବୀ କରିଥିଲେ ।
ପ୍ରଦର୍ଶନକାରୀଙ୍କ ଯୁକ୍ତି ହେଉଛି ଏହି ନୂଆ ଆଇନ ସରକାରଙ୍କୁ ବହୁତ ଅନୁଚିତ ଉପାୟରେ କାମ କରିବାକୁ ମଞ୍ଜୁରୀ ଦେବ । ଇସ୍ରାଏଲର ସୁରକ୍ଷା ପ୍ରତି ବିପଦ ଆଣିବ ଏବଂ ଜନତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଏହି ଆଇନ ବିରୁଦ୍ଧରେ ଇସ୍ରାଏଲ ଜନତା ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ରାଜରାସ୍ତାକୁ ବାହାରିଛନ୍ତି ।

Get real time updates directly on you device, subscribe now.