fbpx

ଜାଣିଶୁଣି ବାରମ୍ବାର ସର୍ବସାଧାରଣ ସ୍ଥାନକୁ ଟାର୍ଗେଟ କରୁଛି ଇସ୍ରାଏଲ: ହମାସ

Advertisement

ଇସ୍ରାଏଲ: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତକାଲି ରାତିରେ ଗାଜା ସ୍ଥିତ ଏକ ହସ୍ପିଟାଲର ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଫଳରେ, ଘଟଣା ସ୍ଥଳରେ ହିଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଏଥିରେ ୬୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ଏହି ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଏହି ଆମ୍ବୁଲାନ୍ସଟି ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ବ୍ୟବହାର କରାଯାଉଥିଲା । ଏହି ଆମ୍ବୁଲାନ୍ସରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର କରୁଥିଲେ ବୋଲି ଇସ୍ରାଏଲ ସାମରିକ ସେନା ସୂଚନା ପାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଉକ୍ତ ଆମ୍ବୁଲାନ୍ସ ଉପରକୁ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ତେବେ ଏହି ଆକ୍ରମଣରେ ହମାସର କିଛି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

ହେଲେ ଅନ୍ୟପକ୍ଷରେ ଇସ୍ରାଏଲର ଏପରି ଅଭିଯୋଗକୁ ଖଣ୍ଡନ କରିଛି ହମାସ । ଆମ୍ବୁଲାନ୍ସଟି ଅଲ-ଶିଫା ଡାକ୍ତରଖାନାର ଥିଲା ଯାହାକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଏହା ସହିତ ଇସ୍ରାଏଲ ଅନ୍ୟ କେତେକ ସର୍ବସାଧାରଣ ସ୍ଥାନକୁ ମଧ୍ୟ ଟାର୍ଗେଟ କରିଥିଲା ବୋଲି ହମାସ କହିଛି । ଇସ୍ରାଏଲ ଜାଣିଶୁଣି ଏଭଳି ବାରମ୍ବାର ସର୍ବସାଧାରଣ ସ୍ଥାନରେ ଆକ୍ରମଣ କରୁଥିବା ଅଭିଯୋଗ କରିଛି ହମାସ ।

ସେପଟେ ଆମ୍ବୁଲାନ୍ସଟି ହମାସ ଗ୍ରୁପ ସହ ଜଡ଼ିତ ଥିବା ନେଇ ଇସ୍ରାଏଲ ସାମରିକ ବିଭାଗ ଏଯାଏ କୌଣସି ପ୍ରମାଣ ଦେଇନାହିଁ । ତେବେ ଏହି ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଥିଲା । ଯେଉଁଥିରେ ରକ୍ତ ଜର୍ଜରିତ ହୋଇ ଆମ୍ବୁଲାନ୍ସ ପାଖରେ କିଛି ଲୋକ ପଡ଼ିରହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.