fbpx

ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ କଲେ ମହିଳା, ସମସ୍ତେ କହିଲେ ବାଃ…

ଓଡ଼ିଶା ଭାସ୍କର ବ୍ୟୁରୋ: ପରୋପକାର ଆଉ ସମାଜସେବା ପାଇଁ ଅନେକ ଲୋକ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଦୁନିଆରେ ଏଭଳି ବିରଳ ବ୍ୟକ୍ତି ବିଶେଷ ରହିଛନ୍ତି ଯିଏ କି ନିଜର ସବୁଠୁ ବଡ଼ ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ କରିଛନ୍ତି । ଏଭଳି ବିରଳ ଉଦାହରଣ ଆଉ ଆଦର୍ଶ ସୃଷ୍ଟି କରିଛନ୍ତି ଜଣେ ମହିଳା ।

କୁହାଯାଏ ଯୁଦ୍ଧ ସରକାରଙ୍କ ମଧ୍ୟରେ ହୁଏ, ଜନତାଙ୍କ ମଧ୍ୟରେ ନୁହେଁ । ଆଉ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଇସ୍ରାଏଲର ଜଣେ ମହିଳା । ଇଦିତ୍ ହରେଲ୍ ସେଗଲ୍ ନାମକ ୫୦ ବର୍ଷୀୟା ମହିଳା ଜଣଙ୍କ ନିଜ ସ୍ୱର୍ଗତ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଏକ କିଡନୀ ଦାନ କରିବାକୁ ସ୍ଥିର କଲେ । ଏଥିପାଇଁ ସେ ନିହାତି ଜରୁରି ମନେକରୁଥିବା ବ୍ୟକ୍ତିବିଶେଷଙ୍କ ଅନ୍ୱେଷଣରେ ଲାଗିପଡ଼ିଲେ । ଆଉ ଦୀର୍ଘ ୯ ମାସ ଖୋଜା ଖୋଜି ପରେ ତାଙ୍କୁ ସେଭଳି କିଡନୀ ଆବଶ୍ୟକ ରହିଥିବା ପିଲାଙ୍କ ଠିକଣା ମିଳିଥିଲା । କିନ୍ତୁ ତାହା ଥିଲା ଫିଲିସ୍ତାନର । ଆଉ ଫିଲିସ୍ତାନ ହେଉଛି ଇସ୍ରାଏଲର ସବୁଠୁ ବଡ଼ ଶତ୍ରୁ ଦେଶ । ତେବେ ୩ ବର୍ଷର ଉକ୍ତ ନିଷ୍ପାପ ଶିଶୁ ପାଇଁ ଇଦିତଙ୍କ ହୃଦୟ ତରଳି ଯାଇଥିଲା ।

ଇଦିତ୍ ଏକ ପତ୍ର ପଠାଇ ଶିଶୁ ଉଦ୍ଦେଶ୍ୟରେ ଲେଖିଲେ ଯେ, ତୁମେ ମୋତେ ଜାଣିନାହଁ, କିନ୍ତୁ ଖୁବଶୀଘ୍ର ଆମେ ନିକଟତର ହୋଇଯିବା । କାରଣ ମୋ କିଡନୀ ତୁମ ଶରୀରରେ ଲାଗିଯିବ । ଏଥିସହ କିଡନୀ ପ୍ରତିରୋପଣ ସଫଳ କାମନା ସହ ପିଲାଟିର ସୁସ୍ଥତା ନେଇ ଶୁଭେଚ୍ଛା ଜଣାଇଲେ ଇଦିତ୍ । ଅନ୍ୟପକ୍ଷରେ ତାଙ୍କର ଏଭଳି ନିଷ୍ପତ୍ତି ପାଇଁ ସହଜ ନଥିଲା ସବୁ ରାସ୍ତା । ତାଙ୍କ ସ୍ୱାମୀ ଆଉ ପୁତ୍ର ଏଭଳି ନିଷ୍ପତ୍ତିକୁ ଖୁବ୍ ବିରୋଧ କରିଥିଲେ ଓ ସେମାନେ ଚାହୁନଥିଲେ ଇଦିତ୍ ନିଜ ଜୀବନକୁ ଏଭଳି ମରଣମୁହଁରେ ପକାନ୍ତୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫିଲିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବାବେଳେ ଇଦିତ୍ ପରିବାର ପକ୍ଷରୁ ୩ ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ । କିନ୍ତୁ କିଡନୀ ଦେବା ନିଷ୍ପତ୍ତି ସମ୍ପର୍କରେ ଇଦିତ୍ ଦୀର୍ଘଦିନ ଯାଏଁ ପରିବାର ଲୋକଙ୍କୁ ଜଣାଇନଥିଲେ ଯେ ସେ କାହାକୁ ଅଙ୍ଗ ଦାନ କରିବେ । ସେପଟେ ଫିଲିସ୍ତାନରେ ରହୁଥିବା ସମ୍ପୃକ୍ତ ପିଲାର ବାପାଙ୍କୁ ମେଡିକାଲରେ କୁହାଯାଇଥିଲା ଯେ ଯଦି ସେ କୌଣସି ଇସ୍ରାଏଲ୍ ମହିଳାଙ୍କୁ କିଡନୀ ଦେବେ ତେବେ ତାଙ୍କ ପିଲାକୁ ତୁରନ୍ତ କିଡନୀ ମିଳିପାରିବ । ଏସବୁ ଘଟଣାକୁ ମାନବୀୟ ଆଧାରରେ ଏକ ଏନଜିଓ ବୁଝାବୁଝି କରିବା ସହ ସାହାଯ୍ୟ କରୁଥିଲା । ସେହି ଅନୁସାରେ ପିଲାଟିର ବାପା ଇସ୍ରାଏଲର ୨ ସନ୍ତାନର ଜନନୀ ଜଣେ ୨୫ ବର୍ଷୀୟା ମହିଳାଙ୍କୁ କିଡନୀ ଦାନ କରିଥିଲେ । ବାସ୍ ଇଦିତ୍ ମଧ୍ୟ ଖୁସି ଯେ ତାଙ୍କ ସାହାଯ୍ୟ ବଳରେ ଏକ ଶିଶୁର ଜୀବନ ବଞ୍ଚି ପାରିଲା । ନିଜ ପିତାଙ୍କୁ ଏଭଳି ଉତ୍ସର୍ଗ ପ୍ରଦାନ କରିଥିବା ଇଦିତଙ୍କ ପରିବାର ଲୋକେ ମଧ୍ୟ ଆଜି ବେଶ୍ ଗୌରବ ମନେ କରୁଛନ୍ତି ।

 

Get real time updates directly on you device, subscribe now.