fbpx

ଟୋକିଓରେ ବିଫଳ ଭାରତୀୟ ଶୁଟର: ଭାଇରାଲ ହେଉଛି କୋଚଙ୍କ ଟି-ସାର୍ଟ ମେସେଜ

ନୂଆଦିଲ୍ଲୀ: ଟୋକିଓ ୨୦୨୦ରେ ଭାରତୀୟ ଶୁଟିଂ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । କେବଳ ଗୋଟିଏ ଇଭେଣ୍ଟକୁ ବାଦ ଦେଲେ ଅନ୍ୟ କୌଣସି ଇଭେଣ୍ଟରେ ଭାରତୀୟ ଖେଳାଳି ଫାଇନାଲ ଯୋଗ୍ୟତା ମଧ୍ୟ ଅର୍ଜନ କରିପାରି ନଥିଲେ । ୨୦୧୬ ରିଓ ଅଲିମ୍ପିକ୍ସ ପରି ଟୋକିଓରେ ମଧ୍ୟ ଦୟନୀୟ ପ୍ରଦର୍ଶନ କରିବା ପରେ ଏନଆରଏଆଇ ପକ୍ଷରୁ କୋଚ ମାନଙ୍କୁ ପରିବର୍ତ୍ତନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଭାରତ ପକ୍ଷରୁ ୧୫ ଜଣିଆ ଟିମ୍ ପଠାଯାଇଥିଲେ ହେଁ ଦଳକୁ ନିରାଶ ହେବାକୁ ପଡିଛି । ଏପରି ପରସ୍ଥିତିରେ ଭାରତର ଷ୍ଟାର ଶୁଟର ମାନୁ ଭାକେର ଓ କୋଚ ଜସପାଲ ରାଣାଙ୍କ ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିଛି । ଦଳ ମଧ୍ୟରେ ବିବାଦ ଲାଗିଥିବା ନେଇ ଖବର ଆସିବା ସହିତ ମାନୁ ଓ ଜସପାଲଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ନେଇ ଏନଆରଆଇଏ ମୁଖ୍ୟ ରଣଧୀର ସିଂ କହିଛନ୍ତି ।

ତିନିମାସ ପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ୍ ସମୟରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ୨୫ ମିଟର ପିସ୍ତଲ ଶୁଟିଂ ବର୍ଗରେ ମାନୁ ରୌପ୍ୟ ପଦକ ଜିତିବା ପରେ ଧଳା ଟି ଶାର୍ଟରେ ଏକ ମେସେଜ ଲେଖିଥିଲେ ଜସପାଲ । ଚିଙ୍କି ଯାଦବଙ୍କ ଠାରୁ ମାନୁ ହାରିବା ପରେ ରାଣା ଲେଖିଥିଲେ, ‘ଏବେ ଖୁସି ମିଳିଲା, ଅଭିଷେକ ଓ ତୁମକୁ ଅଭିନନ୍ଦନ । ଏହା ସହିତ ତୁମ ଆତ୍ମଗର୍ବକୁ ମଧ୍ୟ ଅଭିନନ୍ଦନ ।’ ଏହି ଘଟଣା ପରେ ରାଣାଙ୍କ ସ୍ଥାନରେ ରୌନକ ପଣ୍ଡିତଙ୍କ ଅଧୀନରେ ଭାକେର ଅଭ୍ୟାସ କରିଥିଲେ । ତେବେ ଅଲିମ୍ପିକ୍ସରେ ଦଳର ନିରାଶାଜନକ ପ୍ରଦର୍ଶନ ପରେ ପୁନର୍ବାର ଜସପାଲ ରାଣା ଓ ମାନୁ ଭାକେର ବିବାଦ ମୁଣ୍ଡ ଟେକିଛି । ଏହା ସହିତ ରଣଧୀର ଆହୁରି ମଧ୍ୟ କହିଛନ୍ତି କି, ଭାକେର ୩ଟି ଶୁଟିଂ ବର୍ଗରେ ଅଂଶଗ୍ରହଣ କରିବାକୁ ରାଣା ବିରୋଧ କରି ଆସୁଥିଲେ ।

Get real time updates directly on you device, subscribe now.