fbpx

ଇତିହାସ ରଚିଲା ଇସ୍ରୋ: ଏକା ସାଙ୍ଗରେ ମହାକାଶକୁ ପଠାଗଲା ୩୬ ଉପଗ୍ରହ

ଶ୍ରୀହରିକୋଟା: ପୁଣି ଆଉ ଏକ ଇତିହାସ ରଚିଲା ଇସ୍ରୋ । ଏକା ସାଙ୍ଗରେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍ ବା ଉପଗ୍ରହ । ଇସ୍ରୋର ୱାନ୍ୱେବ-୨ ମିସନ ଜରିଆରେ ଏହି ୩୬ଟି ଉପଗ୍ରହକୁ ମହାକାଶକୁ ପଠାଯାଇଛି । ରବିବାର ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତିଶଧାୱନ ମହାକାଶ କେନ୍ଦ୍ରରୁ ସବୁଠାରୁ ଓଜନିଆ ୱାନ୍ୱେବ-୨ ରକେଟର ଉତକ୍ଷେପଣ କରାଯାଇଥିଲା ।

ପୃଥିବୀର ନିମ୍ନକକ୍ଷରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରୀଟେନର ନେଟୱାକ୍ ଆକ୍ସେସ ଆସୋସିଏଟ୍ ଲିମିଟେଡ ଇସ୍ରୋ ସହ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଛି । ୱାନ୍ୱେବ୨ ରକେଟର ଉଚ୍ଚତା ୪୩.୫ ମିଟର ହୋଇଥିବା ବେଳେ ଏହାର ଓଜନ ୬୪୩ ଟନ୍ ରହିଛି । ଏହା ୫୮୦୫ କି.ଗ୍ରା ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ପୃଥିବୀର ନିମ୍ନକକ୍ଷ ପଥରେ ସ୍ଥାପନ କରିବ ।

ଗତବର୍ଷ ଅକ୍ଟୋବର ୨୩ରେ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ଟି ସାଟେଲାଇଟ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ୱାନ୍ୱେବର ମହାକାଶ କକ୍ଷ ପଥରେ ୫୮୨ଟି ଉପଗ୍ରହ ଥିବା ବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି । ୱାନ୍ୱେବ ହେଉଛି ଏକ ବ୍ରିଟେନର ଏକ ଯୋଗାଯୋଗ କମ୍ପାନୀ ଯାହାକି ବ୍ରିଟିଶ ସରକାର, ଭାରତର ଭାରତୀ ଏଣ୍ଟରପ୍ରାଇଜେସ, ଫ୍ରାନ୍ସର ଇଟେଲସାଟ, ଜାପାନର ସପ୍ଟବ୍ୟାନ, ଆମେରିକାର ହ୍ୟୁଜ୍ ନେଟୱାର୍କ ଏବଂ ଦକ୍ଷିଣ କୋରିଆ ପ୍ରତିରକ୍ଷା କମ୍ପାନୀ ହାନୱାଙ୍କର ମାଲିକାନା ଅଟେ । କମ୍ପାନୀ ପକ୍ଷରୁ କୁହାଯାଇଛି ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ।

Get real time updates directly on you device, subscribe now.