fbpx

WPL Final: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ, ନାଟଙ୍କ ଅର୍ଦ୍ଧଶତକୀୟ ଇନିଂସ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଥମ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ୨୦୨୩ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଡବ୍ଲ୍ୟୁପିଏଲ ୨୦୨୩ର ଫାଇନାଲରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯.୩ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା ।

ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ଦଳ ପକ୍ଷରୁ ଅଧିନାୟିକା ମେଗ ଲାନିଂ ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିବା ବେଳେ ଶିଖା ପାଣ୍ଡେ ଓ ରାଧା ଯାଦବ ୨୭ ରନ୍ ଲେଖାଏଁ ସଂଗ୍ରହ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାରିଜାନେ କାପ୍ପ ୧୮ ଓ ଶେଫାଲି ବର୍ମା ୧୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ମୁମ୍ବାଇ ପକ୍ଷରୁ ଇସି ୱଙ୍ଗ ଓ ହେଲେ ମାଥ୍ୟୁସ ୩ଟି ଲେଖାଏଁ ଏବଂ ମେଲାଇ କେର ୨ଟି ୱିକେଟ ଅକ୍ତିଆର କରିଥିଲେ ।

୧୩୨ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ମୁମ୍ବାଇ ମାତ୍ର ୧୩ ରନରେ ୟାସ୍ତିକ ଭାଟିଆଙ୍କ ୱିକେଟ ହରାଇଥିଲା । ଏହାପରେ ନାଟ ସ୍କାଇଭର-ବ୍ରୁଣ୍ଟ ୬୦ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର ୩୭ ରନ୍ ସଂଗ୍ରହ କରିଥିଲେ । ଦଳ ୧୯.୩ ଓଭରରେ ମାତ୍ର ୩ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିନେଇଥିଲା । ଦିଲ୍ଲୀ ପକ୍ଷରୁ ରାଧା ଯାଦବକ ଓ ଜେସ ଜୋସେନ ପ୍ରତ୍ୟେକ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.