fbpx

ଆୟରଙ୍କ ଦମଦାର ଅର୍ଦ୍ଧଶତକ: ଟି-୨୦ ସିରିଜ୍ କବଜା କଲା ଭାରତ

ନୂଆଦିଲ୍ଳୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଟି-୨୦ ସିରିଜକୁ ଜିତି ନେଇଛି ଭାରତ । ଆହୁରି ଗୋଟିଏ ମ୍ୟାଚ ବାକି ରହିଥିବା ବେଳେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ୧୮୪ ରନର ପିଛା କରୁଥିବା ଭାରତ ୩ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ଆଉ ଏକ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ମ୍ୟାଚ ପରି ଆୟର ଅର୍ଦ୍ଧଶତକ ହାସଲ କରିବା ସହିତ ଦଳକୁ ଏକ ସହଜ ବିଜୟ ପ୍ରଦାନ କରିଥିଲେ । ୧୮୪ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୯ ରନରେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ୪୪ ରନରେ ଇଶାନ କିଶନ(୧୬) ଆଉଟ ହେବା ପରେ ଭାରତ ସଙ୍କଟରେ ପଡିଥିଲା । ତେବେ ଶ୍ରେୟସ ଆୟର(୭୪) ଓ ସଞ୍ଜୁ ସାମସନ(୩୯)ଙ୍କ ମଧ୍ୟରେ ୮୪ ରନର ପାର୍ଟନରଶିପ ହୋଇଥିଲା । ସାମସନ ୨୫ ବଲ ଖେଳି ୨ ଚୌକା ଓ ୩ ଛକା ସହିତ ୩୯ ରନ କରିଥିଲେ । ଶ୍ରେୟର ଆୟର ୪୪ବଲ ଖେଳି ୬ଟି ଚୌକା ଓ ୪ଟି ଛକା ସହିତ ୭୪ ରନ କରିଥିଲେ । ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଜାଡେଜା ମାତ୍ର ୧୮ ବଲ ଖେଳି ୪୫ ରନ କରିଥିଲେ । ଏହି ଇନିଂସରେ ୬ ଚୌକା ଓ ୨ ଛକା ସାମିଲ ଥିଲା । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୨ଟି ଓ ଚମିରା ଗୋଟିଏ ୱିକେଟ ନେଇଥିଲା ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ଏକ ଦୃଢ ଆରମ୍ଭ କରିଥିଲେ । ୮.୪ ଓଭରରେ ଉଭୟ ୬୭ ରନ କରିଥିଲେ । ଗୁଣଥିଲକା ୩୮ ରନ କରି ପ୍ୟାଭିଲିୟନ ଫେରିବା ପରେ ମାତ୍ର ୧୦ ରନ ମଧ୍ୟରେ ଶ୍ରୀଲଙ୍କା ୩ ୱିକେଟ ହରାଇଥିଲା । ଗୁଣତିଲକା ୨୯ ବଲ ଖେଳି ୪ ଚୌକା ଓ ୨ ଛକା ସହିତ ୩୮ ରନ କରିଥିଲେ । ଅସଲଙ୍କା(୨), ମିଶାରା(୧) ଓ ଚାନ୍ଦିମାଲ(୯) ଆଉଟ ହେବା ପରେ ନିଶଙ୍କା ମଙ୍ଗ ସମ୍ଭାଳିଥିଲେ । ନିଶଙ୍କା ୫୩ଟି ବଲ୍ ଖେଳି ୧ ଚୌକା ସହିତ ୭୫ ରନ କରିଥିଲେ । ଶେଷ ଆଡକୁ ଅଧିନାୟକ ଦାସୁନ ଶନକା ୧୯ଟି ବଲରୁ ଦ୍ରୁତ ୪୭ ରନ କରି ଦଳକୁ ୧୮୩ ରନରେ ପହଞ୍ଚାଇଥିଲେ । ଏହି ଇନିଂସରେ ୨ ଚୌକା ଓ ୫ ଛକା ସାମିଲ ଥିଲା । ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.