ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଲୋକାରଣ୍ୟ ପୁରୀ । ଗଜାନନ ବେଶରେ ଦର୍ଶନ ଦେବେ ମହାବାହୁ ।

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ତ୍ତମାନ ସ୍ନାନ ବେଦୀକୁ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ ।

ଭୋରରୁ ପହଣ୍ଡି ଆରମ୍ଭ ହୋଇସାରିଛି ।  ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଦେଖିବା ପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଧାଡ଼ି ପହଣ୍ଡିରେ ବିଜେ ହେଉଛନ୍ତି ଶ୍ରୀ ଜଗନ୍ନାଥ । ବର୍ତ୍ତମାନ ଜଗନ୍ନାଥଙ୍କ ପହଣ୍ଡି ମଧ୍ୟ ଆରମ୍ଭ ହୋଇସାରିଛି ।

ସ୍ନାନବେଦୀରେ ସୁଭଦ୍ରା–  ପୂର୍ବରୁ ଦେବୀ ସୁଭଦ୍ରା ସ୍ନାନ ବେଦୀକୁ ବିଜେ କରିସାରିଛନ୍ତି । ରତ୍ନବେଦି ଛାଡି ସ୍ନାନବେଦୀ ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ । ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳାଇ ନେବେ ଭାବଗ୍ରାହୀ ।

ଲାଗି ହେବ ସୁନା କୂଅ ଜଳ- ଦାରୁବ୍ରହ୍ମଙ୍କୁ ୧୦୮ ଗରା ସୁନା କୂଅ ଜଳ ଲାଗି ହେବ । ଏହାପରେ ଅପରାହ୍ନ ସାଢ଼େ 4ଟାରେ ମହାପ୍ରଭୁଙ୍କର ହାତୀ ବେଶ ହେବ । ସାଢେ 7ଟାରୁ ସାଢେ 10ଟା ଯାଏଁ ସାହାଣମେଲା ଦର୍ଶନ ହେବ ।

ମହାପ୍ରଭୁଙ୍କର ହାତୀ ବେଶ- ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରି ଧନ୍ୟ ଧନ୍ୟ ହେବେ ଭକ୍ତ । ଅନ୍ୟପଟେ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପୁରୀରେ ଟ୍ରାଫିକ ଜାମ୍ ମଧ୍ୟ ହୋଇଥିଲା ।