fbpx

‘ଜେଲର’ ଫିଲ୍ମର ଖଳନାୟକ ବିନାୟକନ ଗିରଫ: ମଦ୍ୟପାନ କରି ହଙ୍ଗାମା କରୁଥିଲେ, ଆସିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଫିଲ୍ମରେ ଖଳନାୟକ ଚରିତ୍ରରେ ଆସିଥିବା ଅଭିନେତା ବିନାୟକନଙ୍କୁ ପୋଲିସ ଗିରଫ କରିଛି । ବିନାୟକନ ସାର୍ବଜନିକ ସ୍ଥାନରେ ମଦ୍ୟପାନ କରି ହଙ୍ଗାମା କରୁଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ତାଙ୍କୁ କେରଳ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ନିଶାସକ୍ତ ଅବସ୍ଥାରେ ଥିବା ବିନାୟକନ ଥାନାରେ ଏକ ବଡ଼ଧରଣର ହଙ୍ଗାମା କରିଥିଲେ । ସେହି କାରଣରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ବିନାୟକନ ସନ୍ଧ୍ୟା ସମୟରେ ଏର୍ଣ୍ଣାକୁଲମ ଟାଉନ ନର୍ଥ ପୋଲିସ ଷ୍ଟେସନରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ । ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ସେଠାରେ ମଧ୍ୟ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଅଭିଯୋଗ ଦାଖଲ ହେବା ପରେ ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଡକାଯାଇଥିଲା ।

ମାତ୍ର ଥାନାରେ ପହଞ୍ଚିବା ପରେ ମଧ୍ୟ ବିନାୟକନ ସେଠାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେଣୁ ପୋଲିସ ଷ୍ଟେସନରେ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ଷ୍ଟେସନରେ ହଙ୍ଗାମା କରିବା କାରଣରୁ ଅଭିନେତାଙ୍କୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଅଭିନେତାଙ୍କ ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା । ତେବେ ତାଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ସେ ଜାଣିନାହାନ୍ତି ବୋଲି ଯାଞ୍ଚ ପରେ ହସ୍ପିଟାଲରୁ ପୋଲିସ ସହିତ ଫେରିବା ସମୟରେ ବିନାୟକନ କହିଥିଲେ । ପରେ ଅଭିନେତାଙ୍କୁ ଜାମିନ ଆଧାରରେ ମୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.