ଇଭିଏମକୁ ନେଇ ନିର୍ବାଚନ କମିଶନଙ୍କୁ ଘେରିଥିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଦଳର ଯୋଗାଯୋଗ ବିଭାଗ ସାଧାରଣ ସମ୍ପାଦକ ଜୟରାମ ରମେଶ ଇଭିଏମ୍ ଓ ନିର୍ବାଚନ ପ୍ରକ୍ରିୟା କୁ ନେଇ ପ୍ରଶ୍ନ ଉଠାଇଥିଲେ। ଉଲ୍ଲେଖଯୋଗ୍ୟ, ନିକଟରେ ହୋଇଥିବା ଅନେକ ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଇଭିଏମ୍ ମେସିନ୍ ରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛି। ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଜୟରାମ ରମେଶ କହିଛନ୍ତି ଯେ, ଆଜି ଯାହା ଆଲୋଚନା ହୋଇଛି ତାହା କେବଳ ଇଭିଏମ୍ ବିଷୟରେ ନୁହେଁ ବରଂ ନିର୍ବାଚନ ପ୍ରକ୍ରିୟା ଏବଂ ବିଭିନ୍ନ ରାଜ୍ୟରେ ଭୋଟରମାନେ କିପରି ବାଧାପ୍ରାପ୍ତ ହେଉଛନ୍ତି ସେ ବିଷୟରେ। କଂଗ୍ରେସ ନେତା କହିଛନ୍ତି, ହରିୟାଣାରେ ଆମେ ୨୦ଟି ଆସନ କୁ ନେଇ ଅଭିଯୋଗ କରିଥିଲୁ, ନିର୍ବାଚନ କମିଶନ ଆମକଥା ଶୁଣିଥିଲେ କିନ୍ତୁ ଆମ ଅଭିଯୋଗକୁ ଅଣଦେଖା କରିଥିଲେ।

ଆଜି ସକାଳେ ଆମର ତିନି ବରିଷ୍ଠ ନେତା ନାନା ପଟୋଲେ, ରମେଶ ଚଣିତ୍ରା ଏବଂ ମୁକୁଲ ୱାସନିକ୍ ମହାରାଷ୍ଟ୍ର ନିର୍ବାଚନ କୁ ନେଇ ନିର୍ବାଚନ କମିଶନଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି। ଜୟରାମ ରମେଶ କହିଛନ୍ତି, ଆମେ ଆମର କର୍ତ୍ତବ୍ୟ ପାଳନ କରୁଛୁ। କିନ୍ତୁ ନିର୍ବାଚନ ଆୟୋଗ ମଧ୍ୟ ନିରପେକ୍ଷ ନିର୍ବାଚନ ପରିଚାଳନା ର କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଭାବେ କରାଯାଉନାହିଁ ବୋଲି ଆଜିର ବୈଠକରେ ଉଲ୍ଲେଖ କରାଯାଇଛି।