fbpx

ଯାଜପୁର ବସ୍ ଦୁର୍ଘଟଣା: ଡ୍ରାଇଭରର ଅବହେଳାରୁ ଚାଲିଗଲା ଯାତ୍ରୀଙ୍କ ଜୀବନ: ମିଳିଲା ୨ ମୃତକଙ୍କ ପରିଚୟ, ଡ୍ରାଇଭର ନାଁରେ ଏତଲା

ଯାଜପୁର: ଯାଜପୁର କୁଆଖିଆ ନିକଟରେ ଘଟିଯାଇଥିବା ବସ୍ ଦୁର୍ଘଟରାରେ ୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଏହି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମୃତକଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ପରିଚୟ ପାଇଛି ପୋଲିସ । ଏହି ଦୁଇ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଅଚିନ୍ତ୍ୟ ମାଇତି ଏବଂ ଉତ୍ତମ ମାଇତି । ଏହି ଦୁର୍ଘଟଣାକୁ ନେଇ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବାରୁ ଧର୍ମଶାଳା ପୋଲିସ ତରଫରୁ ଏତଲା ଜାରି ହୋଇଛି ।

ପରିବହନ ବିଭାଗ ପକ୍ଷରୁ ଯାଜପୁର ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ସଚିବ । ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଏକ ଦୁର୍ଘଟଣା ପାଇଁ ଗାଡ଼ିଚାଳକଙ୍କୁ ଦାୟୀ କରିଛନ୍ତି ଅତିରିକ୍ତ ସଚିବ । ଡ୍ରାଇଭରଙ୍କ ଭୁଲ ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଥିବା ସେ ପ୍ରକାଶ କରିଛନ୍ତି । ତେବେ ବସର କଣ୍ଡିସନ ଭଲ ଅଛି ଏବଂ ମାର୍ଚ୍ଚରେ ହିଁ ଫିଟନେସ ସାର୍ଟିଫିକେଟ ମିଳିଥିବା ଜାଣିବାକୁ ମିଳିଛି । ତେବେ ଦ୍ରୁତଗତି ଏବଂ ଓଭରଟେକ୍ କିମ୍ବା ଫୋନରେ କଥା ହୋଇ ଗାଡ଼ି ଚଳାଇବା କାରଣରୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଦୁର୍ଘଟଣା ସମୟରେ ଡ୍ରାଇଭର ବ୍ରେକ ମଧ୍ୟ ଲଗାଇ ନଥିଲେ । ଏଥିରୁ ଡ୍ରାଇଭରର ଅସାବଧାନତା ଏବଂ ଅବହେଳା ସ୍ପଷ୍ଟ ବାରି ହେଉଛି ।

ସେପଟେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଏବଂ ୪୬ ଯାତ୍ରୀ ଆହତ ହୋଇଥିବାରୁ ଡ୍ରାଇଭର ନାଁରେ ଅପରାଦିକ ମାମଲା ରୁଜୁ ହେବ । ତେବେ ମାମଲାରେ ଅଧିକ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଲାଲମୋହନ ସେଠୀ ।

Get real time updates directly on you device, subscribe now.